ନିଟ୍ ପରୀକ୍ଷା କେଳେଙ୍କାରୀ : ପୁଣି ପରୀକ୍ଷା 

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଭିନ୍ନ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ହୋଇଥିବା ନିଟ୍‌ ପ୍ରବେଶିକା ପରୀକ୍ଷାଫଳକୁ ନେଇ ବିବାଦ ଥମୁନାହିଁ। ଭୁଲ ପ୍ରଶ୍ନ ପାଇଁ ପରୀକ୍ଷାରେ ଗ୍ରେସ୍‌ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାତିଲ କରାଯାଇଛି। ଏହି ପରୀକ୍ଷାର୍ଥଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ପଡ଼ିବ । ଜୁନ୍ ୨୩ରେ ସେମାନେ ପୁଣିଥରେ ପରୀକ୍ଷା ଦେବେ ଏବଂ ଜୁନ ୩୦ରେ ପରୀକ୍ଷାଫଳ ପ୍ରକାଶ ପାଇବ। ତେବେ ଏଥିପାଇଁ କାଉନସେଲିଂ ବନ୍ଦ ହେବନାହିଁ ବୋଲି କେନ୍ଦ୍ର ସରକାର ଆଜି ସୁପ୍ରିମ କୋର୍ଟଙ୍କୁ ଜଣାଇଦେଇଛନ୍ତି। ଯେଉଁ ପରୀକ୍ଷାର୍ଥୀ ପୁଣି ପରୀକ୍ଷା ଦେବାକୁ ଚାହିଁବେ ନାହିଁ, ସେମାନଙ୍କର ଗ୍ରେସମାର୍କକୁ କାଟି ପୁରୁଣା ମାର୍କ ହିସାବକୁ ନିଆଯିବ।

ସୂଚନାଯୋଗ୍ୟ ଯେ ଗ୍ରେସମାର୍କକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ୬୭ ଜଣ ଛାତ୍ରଛାତ୍ରୀ ପୂରାମାର୍କ ୭୨୦ ନମ୍ବର ରଖି କେମିତି ଟପର‌ ହେଲେ? ଏହି ପ୍ରଶ୍ନ ଉଠିବ‌ା ପରେ ପରୀକ୍ଷାରେ କେଳେଙ୍କାରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହେଁ, ଗୋଟିଏ ପରୀକ୍ଷା କେନ୍ଦ୍ରରୁ ୬ ଜଣ ଛାତ୍ରଛାତ୍ରୀ ଟପର ହୋଇଥିଲେ। ଏହା ବଡ଼ ଧରଣର ବିବାଦ ସୃଷ୍ଟି କରିଥିଲା। ସୁପ୍ରିମ୍‌କୋର୍ଟରେ ଏହି ମାମଲା ପହଞ୍ଚିବା ପରେ ଅଦାଲତ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।

ଗତକାଲି ଏହି ମାମଲାରେ ସୁପ୍ରିମ କୋର୍ଟଙ୍କ କଡ଼ା ମନ୍ତବ୍ୟ ପରେ ଆଜି କେନ୍ଦ୍ର ସରକାର ଗ୍ରେସ୍‌ମାର୍କ ବାତିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଯେ ଏହି କେଳେଙ୍କାରୀ ଜଣାପଡ଼ିବା ପରେ ଏହାର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ତିନି ଦିନ ଧରି ଉକ୍ତ କମିଟି ଏହା ଉପରେ ଯାଞ୍ଚ କରିବା ପରେ ଗ୍ରେସ୍‌ମାର୍କ ବାତିଲ କରିବା ଲାଗି ସୁପାରିସ କରିଥିଲା l

ସୁପ୍ରମିକୋର୍ଟ ଆଜି ପୁଣି କହିଥିଲେ ଯେ କୌଣସି ପରିସ୍ଥିତିରେ ଜୁଲାଇ ୬ ତାରିଖରୁ ଆରମ୍ଭ ହେବାକୁ ଥିବା କାଉନସେଲିଂ ପ୍ରକ୍ରିୟା ବନ୍ଦ ହେବନାହିଁ। କେନ୍ଦ୍ର ସରକାର କହିଥି‌ଲେ ଯେ ପରୀକ୍ଷାଫଳ ବାତିଲ ହୋଇଥିବା ପରୀକ୍ଷାର୍ଥୀମାନେ ଜୁନ ୨୩ ରେ ପୁନଃ ପରୀକ୍ଷା ଦେବେ ଏବଂ ୩୦ ତାରିଖରେ ପରୀକ୍ଷାଫଳ ପ୍ରକାଶ ପାଇବ। କୃତୀ ଛାତ୍ରଛାତ୍ରୀ ଏହି କାଉନସେଲିଂରେ ଭାଗ ନେବାରେ କୌଣସି ଅସୁବିଧା ହେବନାହିଁ।

LEAVE A REPLY

Please enter your comment!
Please enter your name here