(ବିପ୍ଲବୀ ପରିକ୍ରମା ବ୍ୟୁରୋ); ହୁ ହୁ ହୋଇ ବଢ଼ୁଛି ପିଆଜ ଦର । ଗୋଟିଏ ସପ୍ତାହ ଭିତରେ କେଜି ପିଛା ୨୦ରୁ ୨୫ ଟଙ୍କା ବଢ଼ିଲାଣି । ଆଜି କଟକ ଛତ୍ରବଜାରରେ ପିଆଜ କେଜି ୫୦ରୁ ୫୫ ଟଙ୍କାରେ ବିକ୍ରି ହେଉଛି । ପିଆଜର ଅସ୍ବାଭାବିକ ଦରବୃଦ୍ଧିକୁ ନେଇ ଖାଉଟିଙ୍କ ଅସନ୍ତୋଷ । ହଠାତ୍ ଉପରମୁହାଁ ହେଲାଣି ପିଆଜ ଦର । ମାସକ ଭିତରେ ହେଲାଣି ଡବଲ । ଫଳରେ ଗୃହିଣୀଙ୍କୁ ଘାରିଲାଣି ପିଆଜ ଚିନ୍ତା। ରୋଷେଇ ଘରେ ପଡ଼ିଲାଣି ଚଡ଼କ ।ପିଆଜ କିଲୋ ପିଛା ମାସେ ତଳେ ୨୫ ଟଙ୍କା ଥିବା ବେଳେ ଏବେ ତାହା ଡବଲ ହୋଇ ୫୦ ଟଙ୍କାରେ ପହଞ୍ଚିଲାଣି । କିଛି ସ୍ଥାନରେ ବ୍ୟବସାୟୀ କିଲୋ ପିଛା ୬୦ ଟଙ୍କାରେ ବିକୁଛନ୍ତି ପିଆଜ। ନାସିକରେ ପିଆଜ ମହଙ୍ଗା କାରଣରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ୁଥିବା ଶୁଣିବାକୁ ମିଳିଛି। ଏବେ ସବୁ ପରିବା ଦର ଉପରମୁହାଁ ଥିବା ବେଳେ ହଠାତ୍ ସେଥିରେ ପିଆଜ ବି ସାମିଲ ହୋଇଯିବାରୁ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଏନେଇ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଓଡ଼ିଶା ବଜାରକୁ ଦୈନିକ ୧୫ଶହ ଟନ ଓ ବାର୍ଷିକ ୫ରୁ ସାଢେ ୫ ଲକ୍ଷ ଟନ ପିଆଜ ଦରକାର। ସାରା ଦେଶରେ ବର୍ଷା ଯୋଗୁ ଫସଲ ଅମଳ ବାଧାପ୍ରାପ୍ତ ହୋଇଥିବାରୁ ଏହି ଦର ବୃଦ୍ଧି ହୋଇଛି। ଏଥିନିମନ୍ତେ ପ୍ରତି ବର୍ଷ ଅଗଷ୍ଟରୁ ନଭେମ୍ବରରେ ପିଆଜ ଦର ବୃଦ୍ଧି ହୋଇଥାଏ। ମାତ୍ର ଏଥର ବିଳମ୍ବରେ ରେଟ୍ ବଢ଼ିଥିବା ବେଳେ ଆସନ୍ତା ୮, ୧୦ ଦିନ ମଧ୍ୟରେ ତାହା ନିୟନ୍ତ୍ରଣକୁ ଆସିଯିବ ବୋଲି ଅନୁମାନ କରାଯାଉଛି।