ସୁଧୁରୁନି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା
ପୁରୀ ( ବିପ୍ଲବୀ ପରିକ୍ରମା ):- ଅଗଣିତ ଭକ୍ତଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। କୋଭିଡ ପରଠୁ ବନ୍ଦ ଥିବା ଚାରିଦ୍ୱାର ଦର୍ଶନ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଛି। କିନ୍ତୁ ଦର୍ଶନ ବ୍ୟବସ୍ଥାରେ ସୁଧାର ଆସିପାରିନି। ପୁରୁଣା ବ୍ୟବସ୍ଥାରେ ଏବେ ବି ଭକ୍ତ ଦର୍ଶନ କରୁଛନ୍ତି। ପରିଣାମ ସ୍ୱରୂପ, ଶନିବାର ଛୁଟିଦିନରେ ଭକ୍ତ ଭିଡ଼ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ରବିବାରରେ ମଧ୍ୟ ଭିଡ଼ ଯନ୍ତ୍ରଣା ଅସହ୍ୟ ହୋଇଛି। ମୁଣ୍ଡଫଟା ଖରାରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିଥିଲେ ଭକ୍ତ। ଶ୍ରୀମନ୍ଦିର ଭିତର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସାତ ପାହାଚ, ନାଟମଣ୍ଡପ, ବାହାରକାଠ, ଭିତର କାଠରେ ଅସହ୍ୟ ଭିଡ଼।
ଗତକାଲି ୫ ଜଣ ଭକ୍ତ ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅପରପକ୍ଷେ ନୂଆ ସରକାରଙ୍କୁ ବଦନାମ କରିବା ପାଇଁ ଏହା ପ୍ରାୟୋଜିତ ଭିଡ଼ ବୋଲି କେତେକ ସେବାୟତ ଅଭିଯୋଗ କରିଛନ୍ତି। ପ୍ରଶାସନ ଚାହିଲେ ବ୍ୟବସ୍ଥା ଶୃଙ୍ଖଳିତ କରିପାରିବ। କିନ୍ତୁ ସେଭଳି କିଛି ଉଦ୍ୟମ ହେଉନି ବୋଲି ସେବାୟତ, ଭକ୍ତମାନେ ଅଭିଯୋଗ କରିଛନ୍ତି।