ରାତି ପାହିଲେ ଚତୁର୍ଦ୍ଧାମୁରତୀଙ୍କ ସ୍ନାନଯାତ୍ରା
ପୁରୀ ( ବିପ୍ଲବୀ ପରିକ୍ରମା ):- ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀ ଚଳଚଂଚଳ ହୋଇଉଠିଛି। ଦେଶ-ବିଦେଶରୁ ଭକ୍ତମାନଙ୍କର ଆଗମନ ହୋଇଛି। ପୁରୀରେ ଗହଳି ଲାଗିଛି। ପୂର୍ବାହ୍ନଣ ଓ ମଧ୍ୟାହ୍ନରେ ବିଭିନ୍ନ ନୀତିକାନ୍ତି ପରେ ଅପରାହ୍ଣ ୩ଟା ୩୦ରେ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ହେବ। ପୁରା ପୁରୀକୁ କାଲି ୬୮ ପ୍ଲାଟୁନ ପୁଲିସ ଜଗିବେ। ଭକ୍ତମାନେ ବ୍ୟାରିକେଡରେ ସିଂହଦ୍ୱାର ଦେଇ ସ୍ନାନବେଦୀରେ ହାତୀବେଶ ଦର୍ଶନ କରିପାରିବେ। ପରେ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଏଥିପାଇଁ ଟ୍ରାଫିକ କଟଣା ବି ଜାରି ହୋଇଛି।ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ଭକ୍ତମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ୩ ଘଂଟା ଯାଏଁ ଦର୍ଶନ କରିବାର ସୁଯୋଗ ପାଇବେ । ସ୍ନାନ ଯାତ୍ରା ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ ହେବ ।
ସେଥିପାଇଁ ଭିଡ ନିୟନ୍ତ୍ରଣ ବ୍ୟବସ୍ଥାକୁ ୫ଟି ଭାଗରେ ବିଭକ୍ତ କରାଯାଇଛି । ପୁରା ସହରକୁ ୬୮ ପ୍ଲାଟୁନ ଫୋର୍ସ ଜଗିବେ ।ଭିଡ ନିୟନ୍ତ୍ରଣ ପାଇଁ ଆଜି ପୁରୀରେ ମକଡ୍ରିଲ ହୋଇଛି । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ମିରିଚିକୋଟ ଛକ ଓ ମରିଚିକୋଟ ଛକରୁ ଶ୍ରୀନଅର ଯାଏଁ ସ୍ୱତନ୍ତ୍ର ଛାୟା ବ୍ୟାରିକେଡ ହୋଇଛି ।୧୦୮ ଗରାରେ ଗାଧେଇବା ପରେ ଶ୍ରୀଜୀଉ ଅସୁସ୍ଥ ହୋଇ ଅଣସର ଘରକୁ ଯିବେ ଓ ରତ୍ନବେଦୀରେ ପୂଜା ପାଇବେ ପଟିଦିଅଁ ।