ସ୍ନାନ ବେଦୀରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି
ପୁରୀ ( ବିପ୍ଲବୀ ପରିକ୍ରମା ):- ରତ୍ନ ସିଂହାସନ ଛାଡ଼ି ସ୍ନାନ ବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସ୍ନାନବେଦୀରେ ମଙ୍ଗଳ ଆଳତି, ମଇଲମ, ଅବକାଶ ଓ ତଡ଼ପଲାଗି ନୀତି ଶେଷ ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ସ୍ନାନ ବେଦୀରେ ଦେଖିବାର ଅପୂର୍ବ ସୁଯୋଗ ପାଇଛନ୍ତି। ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଭକ୍ତମାନେ ଭାବବିହ୍ବଳ ହୋଇପଡ଼ିଛନ୍ତି।ସୁଦର୍ଶନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦିକୁ ବିଜେ କରିବେ। ପହଣ୍ଡି ଶେଷ ପରେ ପୂର୍ବାହ୍ନ ୯ଟା ୧୦ରେ ମଙ୍ଗଳଆଳତି ହୋଇଚି। ମଧ୍ୟାହ୍ନ ୧୨ଟା ୨୦ରୁ ଅପରାହ୍ନ ୧ଟା ୪୫ ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୩ଟାରେ ଗଜପତି ମହାରାଜା ଛେରା ପହଁରା କରିବାପରେ ଅପରାହ୍ନ ୩ଟା ୪୦ରେ ଗଜବେଶ ଆରମ୍ଭ ହେବ। ରାତି ସାଢ଼େ ୭ଟାରୁ ଭକ୍ତଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହେବ। ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ।ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି l