ଝାରସୁଗୁଡ଼ାରେ ପୁଣି ଯାଞ୍ଚ ହେବ EVM
ଝାରସୁଗୁଡା ( ବିପ୍ଲବୀ ପରିକ୍ରମା ):- ଝାରସୁଗୁଡ଼ାରେ ପୁଣି ଯାଞ୍ଚ ହେବ ଇଭିଏମ୍ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର । ନିୟମ ମୁତାବକ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରାର୍ଥୀ ଆବେଦନ କରିପାରିବେ । ଏହି ଆଧାରରେ ୫ ପ୍ରତିଶତ ଇଭିଏମର ପୁନଃଗଣତି କରାଯିବ । ଏନେଇ ଦୀପାଳି ଦାସ ନିର୍ବାଚନ କମିଶନରଙ୍କ ନିକଟରେ ଆବେଦନ କରିଥିଲେ । ଯାହାକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନର।ଝାରସୁଗୁଡ଼ାରେ ନିର୍ବାଚନ କମିଶନରଙ୍କ ତତ୍ତ୍ୱାବଧାନରେ ଏକ ଇଞ୍ଜିନିୟରିଂ ଟିମ୍ର ଉପସ୍ଥିତିରେ ୧୩ଟି ବୁଥ୍ରେ, ୧୩ ସେଟ୍ ଇଭିଏମ୍ ଓ ଭିଭିପାଟ୍ ଯାଞ୍ଚ କରାଯିବ ।
ଚଳିତ ନିର୍ବାଚନର ଭୋଟ୍ ଗଣତିରେ କୌଣସି ପ୍ରାର୍ଥୀଙ୍କ ସନ୍ଦେହ ରହିଥିଲେ ସେମାନେ ୫ ପ୍ରତିଶତ ଇଭିଏମ୍ର ପୁନଃଯାଞ୍ଚ କରିବା ପାଇଁ ଆବେଦନ କରିପାରିବେ ବୋଲି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଥିଲା । ଏଥିପାଇଁ ଗତ ୧୦ ତାରିଖ ଆବେଦନର ଶେଷ ତାରିଖ ରହିଥିଲା ।ଝାରସୁଗୁଡ଼ା ଏଥର ହାଇଭୋଲଟେଜ୍ ଲଢ଼େଇ ଦେଖିବାକୁ ମିଳିଲା । ଏହି ବିଧାନସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଦୀପାଳି ଦାସ ଓ ବିଜେପିରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଥିଲେ । ତେବେ ଦୀପାଳି ଦାସ, ଟଙ୍କଧର ତ୍ରିପାଠୀଙ୍କଠାରୁ ୧୩୩୩ ଭୋଟରେ ପରାଜିତ ହୋଇଛନ୍ତି ।