ବାଚସ୍ପତି ରେସରେ ୪ ହେବିୱେଟ
ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ):- ଆସନ୍ତା ୨୬ ତାରିଖରେ ହେବ ଲୋକସଭା ବାଚସ୍ପତି ନିର୍ବାଚନ । ତେବେ କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ? ବାଚସ୍ପତି ଆସନରେ ବସିବାକୁ, କାହାକୁ ବାଛିବ NDA ? ଚର୍ଚ୍ଚାରେ ରହିଛି ୪ ବରିଷ୍ଠ ସାଂସଦଙ୍କ ନାଁ। ପୂର୍ବତନ ବାଚସ୍ପତି ଓମ୍ ବିର୍ଲା, ବର୍ତ୍ତମାନର କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂ ଏବଂ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି. ପୁରନ୍ଦେଶ୍ୱରୀ।
ପୂର୍ବତନ ବାଚସ୍ପତି ଓମ୍ ବିର୍ଲା ରାଜସ୍ଥାନ କୋଟାରୁ ସାଂସଦ ନିର୍ବାଚିତ ହୋଇଛନ୍ତି। କୋଟା-ବୁନ୍ଦି ସଂସଦୀୟ କ୍ଷେତ୍ରରୁ ସେ କ୍ରମାଗତ ୩ ଥର ନିର୍ବାଚିତ ହୋଇଛନ୍ତି। ଏଥର ମଧ୍ୟ ତାଙ୍କୁ ଲୋକସଭା ବାଚସ୍ପତି ପ୍ରାର୍ଥୀ କରିପାରେ ଏନଡିଏ । ଭର୍ତ୍ତୃହରି ମହତାବ କଟକରୁ କ୍ରମାଗତ ୭ ଥର ସାଂସଦ ନିର୍ବାଚିତ ହୋଇଛନ୍ତି ।ଏବେ କାମଚଳା ବାଚସ୍ପତି ଥିବା ଭର୍ତ୍ତୃହରି ସପ୍ତଦଶ ଲୋକସଭାରେ ଚେୟାରପର୍ସନ ପ୍ୟାନେଲରେ ସାମିଲ ଥିଲେ ।
ବରିଷ୍ଠ ବିଜେପି ନେତା ରାଧାମୋହନ ସିଂ ବିହାରର ପୂର୍ବୀ-ଚମ୍ପାରନରୁ ସାଂସଦ ନିର୍ବାଚିତ ହୋଇଛନ୍ତି । ଚର୍ଚ୍ଚା ହେଊଛି ତାଙ୍କୁ ଲୋକସଭା ବାଚସ୍ପତି ପ୍ରାର୍ଥୀ କରିପାରେ ଏନଡିଏ ।ଡି. ପୁରନ୍ଦେଶ୍ୱରୀ ଏବେ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଏବଂ ରାଜମୁନ୍ଦ୍ରିରୁ ସାଂସଦ ଅଛନ୍ତି। ତେବେ ସ୍ୱାଧୀନତା ପରଠୁ ବାଚସ୍ପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଉଥିବା ବେଳେ, ଏଥର ଯଦି ବିରୋଧୀ ନିଜ ପ୍ରାର୍ଥୀ ଦିଅନ୍ତି, ତେବେ ପ୍ରଥମ ଥର ପାଇଁ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ।