ବିଶେଷରାଜ୍ୟସ୍ୱାସ୍ଥ୍ୟ Odisha will be liquor free By Bbsr Office - June 27, 2024 0 FacebookTwitterPinterestWhatsApp Oplus_131072 ଓଡିଶା ହେବ ମଦମୁକ୍ତ ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମଦମୁକ୍ତ ହୋଇପାରିବ ତ’ ଓଡ଼ିଶା ? ବନ୍ଦ ହେବ କି ମଦ ବିକ୍ରି, ନିଶା ବ୍ୟବହାର ? ଶାସନକୁ ଆସୁ ଆସୁ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ସତରେ କ’ଣ ଅଣ୍ଟା ଭିଡ଼ିଛି ମୋହନ ସରକାର? ମଦମୁକ୍ତ ଓଡ଼ିଶା ଗଠନ ଦିଗରେ ନୂଆ ସରକାରଙ୍କ ଆଭିମୁଖ୍ୟ ନେଇ ସଙ୍କେତ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଲୋକସେବା ଭବନରେ ନିଶା ନିବାରଣ ଓ ଚୋରା ଚାଲାଣ ବିରୋଧୀ ଆନ୍ତର୍ଜାତିକ ଦିବସ ପାଳନ ଅବସରରେ ମନ୍ତ୍ରୀ କହିଛନ୍ତି, ନିଶା ଦ୍ୱାରା ସମାଜ କଳୁଷିତ ହୋଇଛି। ଏକ ସୁସ୍ଥ ସମାଜ ଗଠନ ପାଇଁ ନିଶାମୁକ୍ତ ସମାଜ ଗଠନ ହେବା ଦରକାର।ପୂର୍ବରୁ ଅନେକ ରାଜ୍ୟରେ ମଦ ବିକ୍ରି ବନ୍ଦ ହୋଇଛି। ଏଣୁ ଓଡ଼ିଶାରେ ବି ସରକାର ମଦ ବିକ୍ରି ବନ୍ଦ କରିବା ସହ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ପ୍ରଚେଷ୍ଟା କରିବେ। ଏଥିପାଇଁ ଅବକାରୀ ବିଭାଗ ସମେତ ସରକାରୀ ସ୍ତରରେ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ। ତେବେ ମଦମୁକ୍ତ ଓଡ଼ିଶା ପାଇଁ ଅବକାରୀ ବିଭାଗ କି ପଦକ୍ଷେପ ନେଇଛି ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରକୁ ଏଡ଼ାଇ ଯାଇଛନ୍ତି ବିଭାଗୀୟ ମନ୍ତ୍ରୀ।ରାଜ୍ୟ ରାଜସ୍ୱରେ ଖଣି ପରେ ଅବକାରୀ ରାଜସ୍ୱ ଏକ ବଡ଼ ଅଂଶୀଦାର। କେବଳ ୨୦୨୨-୨୩ ଆର୍ଥିକ ବର୍ଷ ଅବକାରୀରୁ ୬ ହଜାର ୪୫୫ କୋଟି ଟଙ୍କାର ରାଜସ୍ୱ ପାଇଥିଲେ ସରକାର। ଏଭଳି କ୍ଷେତ୍ରରେ ମଦ ଓ ନିଶା ଦ୍ରବ୍ୟ ବନ୍ଦ ଦ୍ୱାରା ରାଜ୍ୟ ସରକାରଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ମଦମୁକ୍ତ ଓଡ଼ିଶା ଗଠନର ବାସ୍ତବତା ନେଇ ଉଠୁଛି ପ୍ରଶ୍ନ। ତେବେ ମଦ ଓ ନିଶା ବିରୋଧୀ କର୍ମୀଙ୍କ କହିବା କଥା, ମଦ ଓ ନିଶାଦ୍ରବ୍ୟ ବନ୍ଦ ହେଲେ, ଯେଉଁ ଫାଇଦା ମିଳିବ ତାହା ଅବକାରୀ ରାଜସ୍ୱ କ୍ଷତିଠୁ ଢେର ଅଧିକ। ପାରିବାରିକ କହଳ, ହିଂସା, ଅପରାଧ କମିବ। ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ନିଶା ସେବନ ଯୋଗୁ ହେଉଥିବା ରୋଗ ଚିକିତ୍ସା ଖର୍ଚ୍ଚ ବି କମିଯିବ।