ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପୁରୀ ( ବିପ୍ଲବୀ ପରିକ୍ରମା ):- ପୁରୀରେ ରଥଯାତ୍ରା ଦେଖିବେ ମହାମହିମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥର ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହେବେ। ଜୁଲାଇ ୬ରୁ ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ୯ ତାରିଖ ଯାଏ ରହିବେ। ୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହିଦିନ ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବେ। ୭ ତାରିଖରେ ଯିବେ ପୁରୀ ।ରଥଯାତ୍ରା ଦେଖିବା ପରେ ରାଷ୍ଟ୍ରପତି ୮ ତାରିଖରେ ଖଣ୍ଡଗିରି, ଉଦୟଗିରି ପରିଦର୍ଶନ କରିବେ । ସେଦିନ ଅପରାହ୍ନରେ ଡିଭାଇନ୍ ରିଟ୍ରିଟ୍ ସେଣ୍ଟର ଉଦଘାଟନ କରିବେ। ୯ ତାରିଖ ପୂର୍ବାହ୍ନରେ ନାଇଜର୍ କାର୍ଯ୍ୟକ୍ରମରେ ଯୋଗବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ଅପରାହ୍ଣରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ ।
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ରୁଟ୍ ଲାଇନ ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ପୋଲିସ କମିଶନର କହିଛନ୍ତି। ତେବେ ଆସନ୍ତା ୭ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘୋଷଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ପାଇଁ ପୁରୀରେ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସୁପରିଚାଳନା, ରଥ ପ୍ରସ୍ତୁତି, ନୀତି ନିର୍ଘଣ୍ଟ ନେଇ ଆଲୋଚନା କରାଯାଇଛି ।
ବିଶେଷ କରି ରଥଯାତ୍ରା ସୁପରିଚାଳନା, ରଥ ପ୍ରସ୍ତୁତି, ନୀତି ନିର୍ଘଣ୍ଟ, ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ, ରେଳ ଚଳାଚଳ, ପରିବହନ ବ୍ୟବସ୍ଥା ଦିଗ ଉପରେ ଆଲୋଚନା ହୋଇଛି। ତେବେ ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୋଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ପାଲଟିଛି।