ଟି-୨୦ ବିଶ୍ୱକପ୍ ଫାଇନାଲରେ ଟିମ୍ ଇଣ୍ଡିଆ
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଟି-ଟ୍ବେଣ୍ଟି ବିଶ୍ବକପ୍ ଫାଇନାଲରେ ଭାରତ। ଦ୍ବିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ଏଣ୍ଟ୍ରି ମାରିଛି ଟିମ୍ ଇଣ୍ଡିଆ। ବ୍ୟାଟିଂରେ ଦମ୍ ଦେଖାଇଲେ ରୋହିତ, ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ। ବୋଲିଂରେ ଘାଇଲା କଲେ କୁଳଦୀପ ଓ ଅକ୍ଷର। ଟାର୍ଗେଟ ପୂରା କରି ପାରିଲା ନାହିଁ ଇଂଲିଶ ବାହିନୀ।
ଭାରତ ଦେଇଥିବା ୧୭୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ମାତ୍ର ୧୦୩ ରନରେ ଅଲଆଉଟ୍ ହେଲା > କୁଳଦୀପ ଯାଦବ ଓ ଅକ୍ଷୟ ପଟେଲଙ୍କ ଯାଦୁଗରୀ ସ୍ପିନରେ ଭୁଶୁଡିଲା ଇଂଲଣ୍ଡର ବ୍ୟାଟିଂ ଅର୍ଡର। ଦୁହେଁ ୩ଟି ଲେଖାଏ ୱିକେଟ ନେଇଛନ୍ତି। ବୁମରାଙ୍କୁ ମିଳିଛି ୨ଟି ୱିକେଟ। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ କ୍ୟାପଟେନ୍ ଜୋସ୍ ବଟଲର।
ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ କରିଥିଲା ୧୭୧ ରନ୍ । ରୋହିତ ଶର୍ମାଙ୍କ ବ୍ୟାଟରୁ ପୁଣି ରନ୍ ବର୍ଷା ହୋଇଥିଲା। ସେ ୩୯ ବଲରେ ୨ଟି ଛକା ଓ ୬ଟି ଚୌକା ବଳରେ କରିଥିଲେ ୫୭ ରନ୍। ସେହିପରି ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଥିଲେ। ସୂର୍ଯ୍ୟକୁମାର ୩୬ ବଲରୁ ୪୭ ଓ ପାଣ୍ଡ୍ୟା ୧୩ ବଲରେ ପିଟିଥିଲେ ୨୩ ରନ୍। ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ୨୯ ତାରିଖରେ ଫାଇନାଲ ଖେଳାଯିବ ।