କେବେ ଖୋଲିବ ରତ୍ନଭଣ୍ଡାର
ପୁରୀ ( ବିପ୍ଲବୀ ପରିକ୍ରମା ):- କେବେ ଖୋଲା ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? କେଉଁ ସମୟ, କେଉଁ ତାରିଖ ? ବିଧିବଦ୍ଧ ଭାବେ ଏଇ ଘୋଷଣା ଉପରେ ଏବେ ସାରା ଜଗନ୍ନାଥପ୍ରେମୀଙ୍କ ନଜର। କାରଣ ଆସନ୍ତା ୭ ତାରିଖରୁ ଘୋଷଯାତ୍ରାରେ ବାହାରି ବଡ଼ ଦେଉଳ ଛାଡ଼ିବେ ଶ୍ରୀଜୀଉ। ଏଇ ସମୟ ରତ୍ନଭଣ୍ଡାର ଖୋଲିବାର ପ୍ରକୃଷ୍ଟ ସମୟ ହୋଇଥିବାରୁ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।ଅପରପକ୍ଷେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ ଆସନ୍ତାକାଲିଠାରୁ ଓଡିଶା ଆସି 5ରୁ 27 ତାରିଖ ପର୍ଯ୍ୟନ୍ତ ପୁରୀରେ ରହୁଥିବା ସୂଚନା ମିଳିଛି। ୫ ତାରିଖରେ ପୁରୀ ପହଞ୍ଚିବା ପରେ ଜଷ୍ଟିସ ପଶାୟତ ଅପରାହ୍ଣ 2ଟାରେ ରତ୍ନଭଣ୍ଡାର ଇନଭେଣ୍ଟୋରି କମିଟିର ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ତେଣୁ ଏହି ବୈଠକରେ କି ନିଷ୍ପତ୍ତି ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି। ଏଭିତରେ ରତ୍ନଭଣ୍ଡାର ଖୋଲିବା ତାରିଖକୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାର ନିଶ୍ଚିତ ଖୋଲିବ, ଏବାବଦରେ ସର୍ବୋଚ୍ଚସ୍ତରରେ ଆଲୋଚନା ସରିଛି ଏବଂ ଆଜିକାଲି ଭିତରେ ନିଷ୍ପତ୍ତି ଆସିଯିବ ।
ଅପରପକ୍ଷେ ଗଜପତି ମହାରାଜା ମଧ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ସରକାରୀ ସ୍ତରରେ ଚାଲିଥିବା ପ୍ରସ୍ତୁତି ଆନନ୍ଦର କଥା ବୋଲି କହି ଭଣ୍ଡାର ମରାମତି ସହ ଗଣତି ମଣତି ନିହାତି ଆବଶ୍ୟକ ବୋଲି କହିଛନ୍ତି।ଏହା ପୂର୍ବରୁ ୧୯୭୮ ମସିହାରେ ଅର୍ଥାତ୍ 45 ବର୍ଷ ତଳେ ରତ୍ନ ଭଣ୍ଡାର ଖୋଲା ଯାଇ ଅଳଙ୍କାର ଗଣତି ହୋଇଥିଲା। ସେତେବେଳେ ଅର୍ଥାତ ୧୯୭୮ରେ ମେ ୧୩ରୁ ଜୁଲାଇ ୨୩ ଯାଏଁ ପ୍ରାୟ ୭୦ ଦିନ ଲାଗିଥିଲା । ଏବେ ନୂଆ ଟେକ୍ନୋଲୋଜି ଉପଯୋଗ କରାଯାଇ କେତେଦନିରେ ମରାମତି ସାଙ୍ଗକୁ ଗଣତି-ମଣତି ହେଉଛି, ତା ଉପରେ ନଜର ।