ଭୋଳା ଗ୍ୟାରେଜ ନିକଟସ୍ଥ ମୋଟର ଇଲେକ୍ଟ୍ରିକାଲ ପାର୍ଟ୍ସ୍ ଦୋକାନରୁ ଚୋରି ଘଟଣାରେ ନାବାଳକ ସମେତ ୪ ଗିରଫ
ବଡ଼ବିଲ ( ବିପ୍ଲବୀ ପରିକ୍ରମା ):- ଗୁରୁବାର ବଡବିଲ ସହରର ଭୋଳା ଗ୍ୟାରେଜ ନିକଟସ୍ଥ ଏ.କେ. ଅଟୋ ଇଲେକ୍ଟ୍ରିକାଲ ପାର୍ଟ୍ସ୍ ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରି ଘଟଣାରେ ବଡବିଲ ପୋଲିସ ବେଶ୍ ସକ୍ରୀୟତାର ସହ ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ଏହି ଚୋରି ଘଟଣାରେ ସଂପୃକ୍ତ ଜଣେ ନାବାଳକ ସହ ୪ ଜଣକୁ ଗିରଫ କରିଥିବା ବେଳେ ଚୋରି ପାର୍ଟ୍ସ୍ ସହ ଏକ ଚୋରା ଡାଲା ଟେମ୍ପୋ ମଧ୍ୟ ଉଦ୍ଧାର କରିଛି। ଏନେଇ ଦୋକାନ ମାଲିକ ଓ ଟେମ୍ପୋ ମାଲିକ ବଡବିଲ ପୋଲିସର କାମକୁ ନେଇ ପ୍ରଶଂସା କରିଛନ୍ତି। ସୂଚନାନୁସାରେ ଅଭିଷେକ ମହାରଣା, ଏମ.ଡି. ଆଦିଲ ଓ ସୁଜଲ୍ ପାଲ ଚୌଧୁରୀ ସହ ଅନ୍ୟଜଣେ ନାବାଳକ ବିଳମ୍ବିତ ରାତିରେ ଉକ୍ତ ପାର୍ଟ୍ସ୍ ଦୋକାନର ଆଜବେଷ୍ଟସ ଭାଙ୍ଗି ଭିତରେ ଥିବା ପ୍ରାୟ ୬ ଲକ୍ଷ ଟଙ୍କାର ପାର୍ଟ୍ସ୍ ଓ ଦୋକାନ କାଉଣ୍ଟରରୁ ପ୍ରାୟ ଢେଢ଼ ଲକ୍ଷ ଟଙ୍କା ଚୋରାଇ ନେଇଥିଲେ। ଏହି ଚୋରା ଜିନିଷକୁ ବଡବିଲ ପି.ଏଚ୍.ଡି ରୋଡସ୍ଥିତ ହରି ଶଙ୍କର ପ୍ରସାଦଙ୍କ OR09-M-8141 ନମ୍ବର ବିଶିଷ୍ଟ ଏକ ଡାଲା ଟେମ୍ପୋରେ ଲୋଡ କରି ଫେରାର ହୋଇଥିଲେ। ଏନେଇ ଦୋକାନ ମାଲିକ ଓ ଟେମ୍ପୋ ମାଲିକ ପୃଥକ୍ ପୃଥକ୍ ଭାବେ ବଡବିଲ ଥାନାରେ ଅଭିଯୋଗ କରିଥିଲେ।
ଚୋରି ପାର୍ଟ୍ସ୍ ଓ ଟେମ୍ପୋ ଖୋଜିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ବେଳେ ସେରେଣ୍ଡା ନିକଟସ୍ଥ ଜଙ୍ଗଲରେ ସନ୍ଦେହ ଜନକ ଅବସ୍ଥାରେ ଏକ ଟେମ୍ପୋ ରହିଥିବା ପୋଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ସେହି କ୍ରମରେ ବଡବିଲ ପୋଲିସ୍ ସେଠାରେ ଅତର୍କିତ ଚଢ଼ାଉ କରି ସଂପୃକ୍ତ ଚାରି ଜଣଙ୍କୁ ଗିରଫ ସହ ଟେମ୍ପୋକୁ ଜବତ୍ କରିଥିବା ବେଳେ ଟେମ୍ପୋ ଡାଲାରେ ଚୋରା ପାର୍ଟ୍ସ୍ ଲୋଡ ହୋଇଥିବା ଦେଖିବାକୁ ପାଇଥିଲା। ଶୁକ୍ରବାର ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ବଡବିଲ ପୋଲିସର ସକ୍ରିୟତା ପାଇଁ ସହରବାସି ସାମାନ୍ୟ ଆଶ୍ବସ୍ତ ହୋଇଥିବା ଚର୍ଚ୍ଚା ହେଉଛି।