ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଦୀର୍ଘ ୫ ବର୍ଷ ପରେ ରୁଷ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ମସ୍କୋରେ ୨୨ ତମ ରୁଷ ଭାରତ ଶିଖର ସମ୍ମିଳନୀରେ ସାମିଲ ହେବେ । ଦ୍ୱିପାକ୍ଷିକ ବୈଠକରେ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଶକ୍ତି, ପ୍ରତିରକ୍ଷା, ପୁଞ୍ଜିନିବେଶ, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ପର୍ୟ୍ୟଟନ କ୍ଷେତ୍ର ଉପରେ ଆଲୋଚନା ହେବ । ଏହାଛଡ଼ା ରୁଷ ସେନାରେ ୟୁକ୍ରେନ ସହ ଯୁଦ୍ଧ ଲଢୁଥିବା ଭାରତୀୟଙ୍କୁ ମୁକ୍ତ କରିବା ପ୍ରସଙ୍ଗ ଉଠାଇ ପାରନ୍ତି ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ଦୁଇ ନେତା ୨୦୨୨ ମସିହାରେ ସମରକନ୍ଦରେ ହୋଇଥିବା ଏସସିଓ ସମ୍ମିଳନୀରେ ସାମିଲ ହୋଇଥିଲେ । ସେହି ସମୟରେ ପୁଟିନଙ୍କୁ ଏହା ଯୁଦ୍ଧର ଯୁଗ ନୁହେଁ, ଆଲୋଚନା ଜରିଆରେ ୟୁକ୍ରେନ ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ ମୋଦୀ । ରୁଷରେ ଗତକାଲି ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏୟାରପୋର୍ଟରେ ଗାର୍ଡଅଫ ଅନର ଦିଆଯାଇ ଭବ୍ୟ ସ୍ବାଗତ କରାଯାଇଥିଲେ । ଏହାପରେ ରୁଷ ରାଷ୍ଟ୍ରପତିଙ୍କ ବାସଭବନରେ ପୁଟିନଙ୍କୁ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପୁଟିନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସ୍କୋ ଗସ୍ତ କରିଥିବା ବେଳେ କ୍ରେମଲିନ୍ କହିଛି ଯେ ପାଶ୍ଚାତ୍ୟ ଦେଶ ଏହି ଗସ୍ତକୁ ‘ଈର୍ଷା’ର ସହ ଦେଖୁଛି। ୨୨ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ପୁଟିନଙ୍କ ନିମନ୍ତ୍ରଣକ୍ରମେ ମୋଦୀ ଜୁଲାଇ ୮ରୁ ଦୁଇଦିନିଆ ମସ୍କୋ ଗସ୍ତରେ ଯାଇଛନ୍ତି। ଦୁଇ ନେତା ଦୁଇ ଦେଶ ମଧ୍ୟରେ ବହୁମୁଖୀ ସମ୍ପର୍କର ସମୀକ୍ଷା କରିବେ ଏବଂ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ସମସାମୟିକ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ମତବିନିମୟ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରକାଶ କରିଛି।