ବିଜେଡି କର୍ମୀ ସମାବେଶ ଚାଲିଥିବା ବେଳେ ଅଘଟଣ
ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ବିଜେଡି ର କର୍ମୀ ସମାବେଶ ଚାଲିଥିବା ବେଳେ, ହଠାତ୍ ଘଟଣା ସ୍ଥଳରେ ଧସେଇ ପଶିଥିଲେ, କିଛି ଯୁବକ । ପାଟିତୁଣ୍ଡ କରିବା ସହ, ଚେୟାର ଫିଙ୍ଗା-ଫୋପଡା ସାଙ୍ଗକୁ ବୈଠକରେ ଲାଗିଥିବା ବ୍ୟାନର୍ ଚିରି ଦେଲେ । ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ଅନ୍ତର୍ଗତ ଦୋମୁହାଣି ଗାଁ ରେ ଘଟିଛି, ଏଭଳି ଘଟଣା । ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି । ସୂଚନା ପ୍ରକାରେ ଭଂଜନଗର ନିର୍ବାଚନ ମଣ୍ଡଳୀରେ, ଗତ ନିର୍ବାଚନରେ ବିଜେଡି ର ପରାଜୟ ଘଟିବା ପରେ, ପ୍ରଥମ ଥର ପାଇଁ ଦୋମୁହାଣି ଗାଁରେ କର୍ମୀ ସମାବେଶ ଆୟୋଜନ ହୋଇଥିଲା ।
ଏଥିରେ ବ୍ଳକ ବିଜେଡି ର ପ୍ରମୁଖ ନେତୃସ୍ଥାନୀୟ ବ୍ୟକ୍ତି ମାନେ ଯୋଗ ଦେଇ ଥିବାବେଳେ, ପ୍ରାୟ ପାଞ୍ଚଶହ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ଗାଁ ଦାଣ୍ଡରେ ସମାବେଶ ଚାଲିଥିବା ବେଳେ ବାଇକ୍ ଓ ବୋଲେରୋ ରେ କିଛି ଯୁବକ ଆସି, ହଠାତ୍ ସଭା ସ୍ଥଳକୁ ପଶି ଆସିଥିଲେ । ଏବଂ ଘଟଣା ସ୍ଥଳରେ, ଏଭଳି ଘଟଣା ଘଟାଇଥିଲେ । ଏନେଇ ନିକଟସ୍ଥ ତାରାସିଙ୍ଗି ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ, ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ନେଇ, ଭଂଜନଗର ଏସଡିପିଓ ସୂଚନା ଦେଇଛନ୍ତି ।