ନବୀନଙ୍କ ଚିଠିର ଜବାବ ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଆଡ଼ପ ପହଣ୍ଡି ବେଳେ ଅଘଟଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଥିଳେ । ପହଣ୍ଡି ଅଘଟଣ ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି । ମୁଁ ମଧ୍ୟ ଏହି ଘଟଣା ପାଇଁ ଅତ୍ୟନ୍ତ ମର୍ମାହତ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ରଥଯାତ୍ରାର ହଜାର ହଜାର ବର୍ଷର ପରମ୍ପରାରେ ଏଭଳି ଘଟିନଥିଲା । ଏଭଳି ସ୍ପର୍ଶକାତର ବିଷୟରେ କିଛି ମନ୍ତ୍ରୀଙ୍କ ମନ୍ତବ୍ୟ, ଦୁଃଖକୁ ଦ୍ବିଗୁଣିତ କରିଛି । ଯେମିତି ଏହାର ପୁନରାବୃତ୍ତି ନହେବ, ଏହା ସୁନିଶ୍ଚିତ କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି । ଆପଣଙ୍କ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଭକ୍ତଙ୍କୁ ଆଶ୍ବସ୍ତ କରିବାରେ ସହାୟକ ହେବ ବୋଲି ମଧ୍ୟ ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ନବୀନ ଲଖିଥିବା ଚିଠିର ଉତ୍ତର ରଖି, ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଏଭଳି ଅଘଟଣ ପାଇଁ ସାରା ଜଗତ ଦୁଃଖିତ। ଆପଣ ଏ ଘଟଣାର ମର୍ମାହତ ହେବା ସ୍ବାଭାବିକ ଏବଂ ମୁଁ ବି ମର୍ମାହତ ହୋଇଛି।ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିଲାଗି ଯତ୍ନବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି। ଆପଣଙ୍କ ପରାମର୍ଶ ମୋ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।