ଅନୁଷ୍ଠିତ ହେଲା ବ୍ରହ୍ମପୁର ମହାନଗର ନିଗମ ପରିଷଦ ବୈଠକ
ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଦୀର୍ଘ ମାସର ବ୍ୟବଧାନ ପରେ ଶୁକ୍ରବାର ଅନୁଷ୍ଠିତ ହେଲା ବ୍ରହ୍ମପୁର ମହାନଗର ନିଗମ ପରିଷଦ ବୈଠକ l ପରିଷଦ ପକ୍ଷରୁ ନବ ନିର୍ବାଚିତ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର , ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଓ ପରିବହନ, ଖଣି, ବାଣିଜ୍ୟ ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l
ଏହି କାର୍ଯ୍ୟକ୍ରମରେ ସହରର ବିକାଶ ଦିଗରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା l ଗ୍ରେଟର ବ୍ରହ୍ମପୁରର ପରିକଳ୍ପନା ସହ ସହରର ସର୍ବାଙ୍ଗୀନ ଉନ୍ନତି ହେବାକୁ ହେଲେ ଦଳ ଠାରୁ ଉର୍ଦ୍ଧରେ ସମସ୍ଥେ ଏକତ୍ରିତ ହୋଇ କାମ କରିବାକୁ ପଡିବ l ସମସ୍ଥେ ନିଷ୍ଠାର ସହ ଲୋକଙ୍କ ସେବା କରିବା ସହ ଅଂଚଳର ସମସ୍ୟାର ସମାଧାନ କରି ପାରିଲେ ବ୍ରହ୍ମପୁର ମହାନଗର ଶ୍ରେଷ୍ଠ ସହର ଭାବେ ଗଠନ ହୋଇ ପାରିବ ବୋଲି ପରିବହନ, ବାଣିଜ୍ୟ,ଖଣିଜ ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଜେନା କହିଛନ୍ତି ଏବଂ ସହରକୁ ସର୍ବଶ୍ରେଷ୍ଠ କରିବା ପାଇଁ ସମସ୍ଥ ପ୍ରକାର ପ୍ରୟାସ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି l ଏହି ବୈଠକରେ ଯୋଗ ଦେଇ ମନ୍ତ୍ରୀ ବେଶ ଖୁସି ଅନୁଭବ କରିଥିବା କହିଛନ୍ତି l ସହରର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା, ବିଶେଷ କରି ରାସ୍ତା ଘାଟ, ଡ୍ରେନେଜ ବ୍ୟବସ୍ଥା, ଆଲୋକୀକରଣ ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଥିଲା l ସବୁ ସମସ୍ୟାର ସମାଧାନ ଦିଗରେ ପ୍ରୟାସ କରାଯିବ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଠିକ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦିଆ ଯାଇଥିବା କହିଛନ୍ତି ମେୟର ସଂଘମିତ୍ରା ଦଳେଇ l ଅନ୍ୟପଟେ ଦୀର୍ଘ ମାସର ବ୍ୟବଧାନ ପରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଥିବା ନେଇ କହିଛନ୍ତି l