ରତ୍ନଭଣ୍ଡାରର ତାଲା ଖୋଲିଲା
ପୁରୀ ( ବିପ୍ଲବୀ ପରିକ୍ରମା ):- ଖୋଲିଲା ତାଲା l ରତ୍ନଭଣ୍ଡାର ଖୋଲାଯିବା ନେଇ ସମସ୍ତଙ୍କର ଉତ୍ସୁକତା ରହିଥିବା ବେଳେ ରତ୍ନଭଣ୍ଡାର ଭିତରୁ ବାହାରିଛନ୍ତି ଅଧିକୃତ ସଦସ୍ୟ । ବାହାରକୁ ବାହାରିବା ପରେ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି କି, ଏସଓପି ମୁ୍ତାବକ ସମସ୍ତ କାର୍ଯ୍ୟ ହୋଇଛି । ଅରବିନ୍ଦ ପାଢୀଙ୍କ କହିବା ମୁତାବକ ବାହାର ରତ୍ନଭଣ୍ଡାରରୁ ଯାହା ବାହାରକୁ ବାହାର କରିବା କଥା ସମସ୍ତ ଜିନିଷ ବାହାର କରାଯାଇ ତାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଚେଙ୍ଗଡା ଘରେ ରଖାଯାଇଛି । ଜଷ୍ଟିସ ରଥ ଓ ମେକାପ ସଦସ୍ୟଙ୍କ ସାମ୍ନାରେ ସବୁ ଜିନିଷ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି । ଏହାସହ ସ୍ଥାନାନ୍ତର ହୋଇଥିବା ସମସ୍ତ ଜିନିଷର ତାଲିକା ପ୍ରସ୍ତୁତ କରାଯାଇଛି । ଏବେ ବାହାର ରତ୍ନଭଣ୍ଡାରକୁ ସିଲ୍ କରାଯାଇଛି ।
ଏହାପରେ ଭିତର ରତ୍ନଭଣ୍ଡାରକୁ ଅଧିକୃତ ସଦସ୍ୟମାନେ ଯାଇଥିବା କଥା ଶ୍ରୀ ପାଢୀ କହିଛନ୍ତି । ଭିତର ରତ୍ନଭଣ୍ଡାରର ତାଲା ଜିଲ୍ଲାପାଳ ଦେଇଥିବା ଚାବିରେ ନଖୋଲିବାରୁ ୩ ଟି ଯାକ ତାଲା କଟାଯାଇଛି । ଶ୍ରୀ ପାଢୀଙ୍କ କହିବା ମୁତାବକ ଭିତର ଭଣ୍ଡାରରେ ସିନ୍ଦୁକ ଓ ଆଲମୀରା ରହିଛି । ତା ଭିତରେ କିଛି ଅଳଙ୍କାର ମଧ୍ୟ ରହିଛି । ହେଲେ ଆଜି ଏସଓପି ମୁତାବକ ସମୟ ସରିଥିବାରୁ ଭିତର ରତ୍ନଭଣ୍ଡାରର କୌଣସି ସାମଗ୍ରୀ ସ୍ଥାନାନ୍ତର କରାଯାଇ ନାହିଁ । ବାହୁଡା ଓ ସୁନାବେଶ ସରିବା ପରେ ପୁଣି ଦିନ ଧାର୍ଯ୍ୟ କରାଯାଇ ଭିତର ରତ୍ନଭଣ୍ଡାରରେ ଥିବା ସାମଗ୍ରୀଙ୍କୁ ସ୍ଥାନାନ୍ତର କରି ଖଟଶେଜ ଘରେ ରଖାଯିବ । ଏହାପରେ ଏଏସଆଇ ତାର ରକ୍ଷଣା ବେକ୍ଷଣ କରିବ । ଏସବୁ ପକ୍ରିୟା ସରିବା ପରେ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହୋଇଥିବା ସାମଗ୍ରୀର ଗଣତି କରାଯିବ ବୋଲି ଅରବିନ୍ଦ ପାଢୀ କହିଛନ୍ତି ।