ପୁରୀ ( ବିପ୍ଲବୀ ପରିକ୍ରମା ):- ଗୁରୁବାର ନିର୍ଦ୍ଧାରିତ ସମୟରେ ଖୋଲିଲା ଭିତର ରତ୍ନଭଣ୍ଡାର । ୯ଟା ୫୧ ମିନିଟରେ ହିଁ ଖୋଲିଛି ଭିତର ରତ୍ନଭଣ୍ଡାର । ନିର୍ଦ୍ଧାରିତ ସମୟରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସହିତ ଅନ୍ୟ ସଦସ୍ୟମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଟ୍ରେଜେରୀରୁ ଚାବି ନେଇ ପହଞ୍ଚିଥିଲେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଅତ୍ୟାଧୁନିକ ସରଞ୍ଜାମ ସହିତ ଓଡ଼୍ରାଫ ଟିମ୍ ଏବଂ ସ୍ନେକ୍ ହେଲପଲାଇନର ସଦସ୍ୟ ଭିତରକୁ ଯାଇଛନ୍ତି । ସମସ୍ତ କାର୍ଯ୍ୟ ଏସଓପି ଅନୁସାରେ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ଆଜି ଭିତର ରତ୍ନଭଣ୍ଡାର ଖୋଲିବା ପରେ କେତେ ରତ୍ନ ଅଛି ତାହା ତଦାରଖ କରାଯିବ । ସ୍ଥିତି ଦେଖି ନିଷତ୍ତି ନିଆଯିବ । ସମସ୍ତ ଅଳଙ୍କାର ସ୍ଥାନାନ୍ତର ପାଇଁ ଆଶା କରାଯାଉଛି ବୋଲି ଜଷ୍ଟିସ୍ ରଥ କହିଛନ୍ତି । ଏସମସ୍ତ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଉଛି । ସେପଟେ ରତ୍ନଭଣ୍ଡାର ଖୋଲୁଥିବାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ ସକାଳ ୮ଟାରୁ ବନ୍ଦ ରଖାଯାଇଛି । କେବଳ ସିଂହ ଦ୍ୱାର ଦେଇ ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି, ଅନ୍ୟ ତିନି ଦ୍ୱାର ବନ୍ଦ ରହିଛି ।