(ବିପ୍ଲବୀ ପରିକ୍ରମା ବ୍ୟୁରୋ);ପୁଣି ନୂଆପଡ଼ାରେ ବାଘ ଆତଙ୍କ । ଗତକାଲି ଏକ ୮ ବର୍ଷର ପିଲାକୁ ଝାମ୍ପି ନେବା ପରି ହୃଦୟ ବିଦାରକ ଘଟଣା ଘଟିଥିବା ବେଳେ ଆଜି ସକାଳୁ ପୁଣି ଏକ ଗାଈକୁ ମାରି ଖାଇଥିବାର ଅଭିଯୋଗ ହୋଇଛି । ଗତକାଲି ରାତିରେ କଣ୍ଟିପାଣି ଗୋଧସପଡ଼ାରେ ଏପରି ଘଟଣା ଘଟିଛି । ତେବେ ବାଘଟି ଏବେ ବି ଗାଁ ପାଖରେ ଥିବା ସୂଚନା ରହିଛି । ବନ ବିଭାଗ ସେଠାରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି । ଅଭିଯୋଗ ଅନୁଯାୟୀ ୮ ବର୍ଷୀୟ ପିଲା ଘର ସାମ୍ନାରେ ଖେଳୁଥିବା ବେଳେ, କଲରାପତରିଆ ବାଘ ତାକୁ ଝାମ୍ପି ନେଇଥିଲା । ବାଘଟି ନାବାଳକକୁ ଧରି ସୁନାବେଡ଼ା ଅଭୟାରଣ୍ୟ ଆଡ଼କୁ ପଳାଇଥିଲା । ଗାଁ ଲୋକଙ୍କ ସହ ମିଶି ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ, ଜଙ୍ଗଲ ଭିତରେ ଥିବା ଏକ ଗୁମ୍ଫାରୁ ଶିଶୁକୁ ଉଦ୍ଧାର କରି ଘରକୁ ଆଣିଥିଲେ । ତେବେ କିଛି ସମୟ ମଧ୍ୟରେ ଶିଶୁଟି ପ୍ରାଣ ହରାଇଥିଲା । ଶବ ବ୍ୟବଚ୍ଛେଦ କରିବା ସହ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ବନ କର୍ମଚାରୀମାନେ ଗାଁରେ ଥିବା ଜଣା ପଡ଼ିଛି । ଶିଶୁକୁ ମାରି ଖାଇବାର କିଛି ସମୟ ନ ପୁରୁଣୁ ରାତି ଅଧରେ ପୁଣି ଜଣଙ୍କ ଗୁହାଳରେ ପଶି ଏକ ଗାଇକୁ ମାରିଖାଇଥିଲା ବାଘ । ସକାଳୁ ସକାଳୁ ଗାଈର ଅଧା ମୃତଦେହ ଘର ପାଖରେ ପଡ଼ିଥିବାର ଦେଖିବାକୁ ପାଇଥିଲେ ଗାଇ ମାଲିକ । ତେବେ ଏହି ଘଟଣାରେ ଗାଁରେ ଉତ୍ତେଜନା ଲାଗି ରହିଥିବାବେଳେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରୁଛି । ସୁନାବେଡ଼ା ଅଭୟାରଣ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ଦୀର୍ଘବର୍ଷ ହେଲା ବାଘ ଆତଙ୍କ ଜାରି ରହିଛି । ବହୁ ଗୃହପାଳିତ ପଶୁ ସହ ୩ ଜଣ ମଣିଷଙ୍କୁ ମଧ୍ୟ ଶିକାର କରିଛି । ପୁର୍ବରୁ ହଳଦୀ ଗାଁରେ ପ୍ରଥମେ ନାବାଳକକୁ ମାଆ କୋଳରୁ ବାଘ ଟାଣି ନେଇଥିଲା । ପରେ ସୁନାବେଡ଼ାର ଜଳ ମଡେଇ ଗାଁରୁ ଜଣେ ବୃଦ୍ଧାକୁ ଝାମ୍ପି ନେଇ ହତ୍ୟା କରିଥିଲା ଆଉ ଏବେ ଦୁଇଟି ଦିନରେ ଦୁଇ ଜଣକୁ ବାଘ ଖାଇଥିବା ଘଟାନରେ ସ୍ଥାନୀୟ ଲୋକେ ଏବେ ଛାନିଆ ହୋଇପଡ଼ିଛନ୍ତି। ଘରୁ ପଦା ଯିବାକୁ ଭୟ କରୁଛନ୍ତି। ବନ ବିଭାଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ ଗାଁ ପାଖରେ ୨ଟି କଲରାପତରିଆ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।