ପୁରୀ ( ବିପ୍ଲବୀ ପରିକ୍ରମା ):- ଆଜି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ। ନୀଳାଦ୍ରିବିଜେରେ ନୀଳକନ୍ଦରକୁ ବାହୁଡ଼ି ଯିବେ ନୀଳମଣି । ଏହି ଦିନ ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ବଡ଼ ଦେଉଳକୁ ବିଜେ କରନ୍ତି ଚତୁର୍ଦ୍ଧାବିଗ୍ରହ । ରଥଯାତ୍ରାର ଏହି ଶେଷ ପର୍ବରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ କରିବା ଦିଗରେ ଗୁରୁତ୍ୱ ଦେବା ସହ ଏନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପୂର୍ବ ବର୍ଷ ଭଳି ନିର୍ଦ୍ଧାରିତ ସମୟ ପର୍ବରୁ ମହାପ୍ରଭୁଙ୍କ ପହଣ୍ଡି କରିବାକୁ ପଦକ୍ଷେପ ନିଆଯାଇଛି । ଏନେଇ ଦଇତାପତି ନିଯୋଗ ମଧ୍ୟ ସହମତି ପ୍ରକାଶ କରିଛନ୍ତି ।ସନ୍ଧ୍ୟା ଧୂପରେ ଚାଳରମାଳ ବାନ୍ଧାଯିବା ପରେ ପହଣ୍ଡି ଆରମ୍ଭ ହେବ । ଦିନ ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ୪ଟାରେ ପହଣ୍ଡି ଆରମ୍ଭ ହେବ । ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ କରିବାକୁ ସମୟ ନିର୍ଦ୍ଧାରଣ କରାଯାଇଛି । ତେବେ ଘୋଷଯାତ୍ରାର ଏହି ଅନ୍ତିମ ପର୍ବ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।
ହେରାପଞ୍ଚମୀ’ ପରି ‘ନୀଳାଦ୍ରିବିଜେ’ ମଧ୍ୟ ଶ୍ରୀମନ୍ଦିରର ଓ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଏକ କୌତୁକପୂର୍ଣ୍ଣ ନୀତି। ଏହି ଯାତ୍ରାରେ ମଧ୍ୟ ଦେବୀ ଲକ୍ଷ୍ମୀଙ୍କର ରୋଷର ପରିପ୍ରକାଶ ହୋଇଥାଏ ବୋଲି ସାଧାରଣରେ କଥିତ। ମାତ୍ର ଏହାର ରୀତି ସଂପୂର୍ଣ୍ଣ ଭିନ୍ନ। ବରଂ ଏହା ଏକ କୌତୁକପୂର୍ଣ୍ଣ ନୀତି ବୋଲି ଜଣାଯାଏ। ଶ୍ରୀମନ୍ଦିରର ସ୍ୱତ୍ୱଲିପିରେ ଏ ସଂପର୍କରେ ସଂକ୍ଷିପ୍ତ ଉଲ୍ଲେଖ ଅଛି। କୁହାଯାଇଛି- “ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପହଣ୍ଡି ହୋଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ (ଦେବୀ ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ) ଦେବଦାସୀମାନେ ଯାଇ ସିଂହଦ୍ୱାରକୁ ବନ୍ଦ କରିଦିଅନ୍ତି। ଶ୍ରୀଜଗନ୍ନାଥ ସିଂହଦ୍ୱାରକୁ ଆସିଲେ ତାହାକୁ ଫିଟାଇ ଦିଅନ୍ତି।” ଏଥିରୁ ସ୍ପଷ୍ଟ ସୂଚିତ ହୁଏ, ଯେ ସିଂହଦ୍ୱାରଠାରେ କୌଣସି ବଚନିକା ହୋଇ ନ ଥାଏ।
ପ୍ରକୃତରେ, ନୀଳାଦ୍ରିବିଜେର ‘ଲକ୍ଷ୍ମୀ-ନାରାୟଣ କଳି’ ବୋଲି ଯାହାକୁ କୁହାଯାଏ, ତାହା ହୋଇଥାଏ ଜୟବିଜୟ ଦ୍ୱାରଠାରେ। ସ୍ୱତ୍ୱଲିପି ଅନୁସାରେ, ସେଠାରେ “ଦଇତା ଓ ଦେବଦାସୀଙ୍କ ମଧ୍ୟରେ ବଚନିକା ଆରମ୍ଭ ହୁଏ ଏବଂ ଦେବଦାସୀମାନେ ଦଇତାଙ୍କୁ ଲଣ୍ଡଭଣ୍ଡ କରନ୍ତି।” କିନ୍ତୁ ‘ନୀଳାଦ୍ରି ମହୋଦୟ’ ଓ ‘ବାମଦେବ ସଂହିତା’ରେ ଏ ସଂପର୍କରେ କିଂଚିତ୍ ସୂଚନା ଅଛି। ସେଥିରେ କୁହାଯାଇଛି- ଗରୁଡ଼ଙ୍କ ସମ୍ମୁଖରେ ଶ୍ରୀଜଗନ୍ନାଥଙ୍କୁ ଦକ୍ଷିଣାଭିମୁଖ ବନ୍ଦାପନା କରାଯିବା ସମୟରେ ଦେବୀ ଲକ୍ଷ୍ମୀ ଦ୍ରୁତଗତିରେ ଯାଇ କୌତୁକବଶତଃ ଭିତରଦ୍ୱାର (ଜୟବିଜୟଦ୍ୱାର) ବନ୍ଦ କରିଦିଅନ୍ତି। ଏହାପରେ ଶ୍ରୀଜଗନ୍ନାଥ ଘଣ୍ଟା, ବାଦ୍ୟ ଆଦି ଧ୍ୱନି ସହିତ ଧୀରେ ଧୀରେ ଯାଇ ଦ୍ୱାର ନିକଟରେ ପହଞ୍ଚନ୍ତି। ଦେବୀ ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ଦ୍ୱାର ବନ୍ଦ ହୋଇଥିବାରୁ ବିଦ୍ୟାପତି ବଂଶଜ ସେବକ ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇ କବାଟ ଖୋଲିବାପାଇଁ ଦେବୀ ଲକ୍ଷ୍ମୀଙ୍କୁ କହନ୍ତି। ତାହା ପରେ ପରିଚାରିକାମାନେ ଲକ୍ଷ୍ମୀଙ୍କ ଇଙ୍ଗିତରେ “ନୀଳାଚଳ ଛାଡ଼ି କୁଆଡ଼େ ଯାଇଥିଲ” ବୋଲି ପଚାରନ୍ତି। “ଗୁଣ୍ଡିଚା ମଣ୍ଡପ ଯାଇଥିଲୁ” ବୋଲି ଶ୍ରୀଜଗନ୍ନାଥଙ୍କ ପକ୍ଷରୁ କୁହାଯିବା କ୍ଷଣି ଦ୍ୱାର ଖୋଲି ଦିଅନ୍ତି।
‘ବାମଦେବ ସଂହିତା’ରେ ଏ ପ୍ରସଙ୍ଗରେ ବର୍ଣ୍ଣିତ ଅଛି- କବାଟର ଅର୍ଗଳିକୁ ଦୃଢ଼ ଭାବରେ ବନ୍ଦ କରାଇ ଶ୍ରୀଦେବୀ (ଲକ୍ଷ୍ମୀ) ଦାସୀବର୍ଗଙ୍କୁ ଡାକି ଅଭିମାନଭରା ଆଦେଶ ଦେଇ କହିଲେ, “ହେ ଦାସୀମାନେ! ତୁମ୍ଭେ ଯାଇ ଶ୍ରୀଜଗନ୍ନାଥଙ୍କୁ କୁହ ଯେ ଏହି ସ୍ଥାନରେ ଚଣ୍ଡରୂପା ଦେବୀ ଅବସ୍ଥାନ କରୁଛନ୍ତି। ଏହା ହେଉଛି ବିରହିଣୀପୁର। ଚନ୍ଦନାଦି ସୁଗନ୍ଧ ପଦାର୍ଥ, ମନଲାଖି ପାନ, ଭୋଜନ କିଛି ଏଠାରେ ନାହିଁ। ଏଣୁ ହେ ବିଭୁ! ଯେଉଁଠାରେ ଆପଣଙ୍କୁ ଏସବୁ ମିଳିବ, ଆପଣ ସେଠାକୁ ଯାଆନ୍ତୁ।” ଏତିକି ମାତ୍ର କଥାକୁ ନେଇ ଓଡ଼ିଆରେ ଅନେକ ରୋଚକ ସାହିତ୍ୟ ରଚିତ ହୋଇଛି। କିନ୍ତୁ ଏହା ଅଭିମାନ ଓ କୌତୁକର କଥା। ଏଥିରେ କଳି ଝଗଡ଼ାର କଥା କିଛି ନଥାଏ।