ପୁରୀ ( ବିପ୍ଲବୀ ପରିକ୍ରମା ):- ସରିଲା ନବଦିନାତ୍ମକ ଯାତ୍ରା । ନୀଳକନ୍ଦର ବାହୁଡିଲେ ନୀଳାଦ୍ରିନାଥ । ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ଦିନରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଛି । ଗୋଟି ପହଣ୍ଡିରେ ତିନି ଦିଅଁ ବଡ଼ଦେଉଳକୁ ବିଜେ କରିଛନ୍ତି । ଭକ୍ତଙ୍କ ଗହଳି ଚହଳିରେ ଲୋକାରଣ୍ୟ ହୋଇଥିଲା ଶ୍ରୀକ୍ଷେତ୍ର । ରଥଯାତ୍ରାରେ ଦାରୁବ୍ରହ୍ମ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ କରିଥିବା ବେଳେ ନୀଳାଦ୍ରି ବିଜେରେ ଗୋଟି ପହଣ୍ଡିରେ ରତ୍ନବେଦୀକୁ ବାହୁଡିଛନ୍ତି । ବଡ଼ ସାଆନ୍ତେ ଓ ଭଗିନୀ ସୁଭଦ୍ରା ସୁରୁଖୁରୁରେ ବଡ଼ଦେଉଳରେ ପ୍ରବେଶ କରିଥିଲେ । କିନ୍ତୁ କାଳିଆ ସାଆନ୍ତେଙ୍କ ବାଟ ଓଗାଳିଥିଲେ ରୋଷ କରିଥିବା ମହାଲକ୍ଷ୍ମୀ । ଏହି ସମୟରେ ଅପୂର୍ବ ଲକ୍ଷ୍ମୀ ନାରାୟଣ ଭେଟର ଦୁର୍ଲଭ ଦୃଶ୍ୟ ଦେଖିଥିଲେ ଅଗଣିତ ଭକ୍ତ ।ନୀଳାଦ୍ରି ବିଜେର ସବୁଠୁ ଦୁର୍ଲଭ ଦୃଶ୍ୟ ହେଉଛି ଲକ୍ଷ୍ମୀନାରାୟଣ କଳି । କାଳିଆ ଠାକୁର ରଥରେ ଭଉଣୀଙ୍କୁ ସାଙ୍ଗରେ ନେଇ ଗଲେ । କିନ୍ତୁ ନବ ବିବାହିତା ପତ୍ନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ବଡ଼ ଦେଉଳରେ ଛାଡ଼ି ଚାଲିଗଲେ । ଏଥିଲାଗି ମହାଲକ୍ଷ୍ମୀ ରୋଷ କରିଛନ୍ତି । ହେରାପଞ୍ଚମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ପ୍ରଭୁଙ୍କୁ ଶ୍ରୀମନ୍ଦିର ଫେରି ଆସିବାକୁ ଡାକିଥିଲେ । ହେଲେ ବଡ଼ ଦେଉଳକୁ ଫେରିଲେନି କାଳିଆ ଠାକୁର । ଫଳରେ ଲକ୍ଷ୍ମୀ ଠାକୁରାଣୀଙ୍କ କ୍ରୋଧ ପ୍ରଚଣ୍ଡ ରୂପ ଧାରଣ କରିଥିଲା । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରିବା ସମୟରେ ନନ୍ଦିଘୋଷ ରଥର କାଠ ଖଣ୍ଡେ ଭାଙ୍ଗି ଦେଇଆସିଥିଲେ ।