କେନ୍ଦୁଝର ( ବିପ୍ଲବୀ ପରିକ୍ରମା ):-: କେନ୍ଦୁଝରରେ ଜଣେ ଆଦିବାସୀ ନାବାଳିକାକୁ ଦୁର୍ଷ୍କମ କରି ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ମୟୁରଭଞ୍ଜ ଜିଲ୍ଲାରୁ ଗିରଫ କଲା କେନ୍ଦୁଝର ପୁଲିସ । ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ଜଣେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଆଦିବାସୀ ନାବାଳିକା ଝିଅକୁ ବାରାହାଦେବତା ଗାଁର ସାପ୍ତାହିକ ହାଟରୁ ଅପହରଣ କରି ଦୁର୍ଷ୍କମ କରିଥିଲା ସେକ କୁର୍ବାନ୍ ନାମକ ଯୁବକ । ଅଭିଯୁକ୍ତଙ୍କ ଘର ପଶ୍ଚିମ ସିଂହଭୂମି ଜିଲ୍ଲାର ଖାରଫୁସ ଗାଁ ହୋଇଥିବା ବେଳେ ସେ ୪୯ ନମ୍ବର ଜାତୀୟ ରାଜପଥ ବାରାହାଦେବତା ଠାରେ ଏକ ଚା ଦୋକାନ କରିଥିଲା । କାଞ୍ଜିପାଣି ଥାନା ବେଣିଡିହ ଗାଁର ନାବାଳିକା ଝିଅଟି ତାଙ୍କ ସାହି ଲୋକଙ୍କ ସହିତ ହାଟକୁ ଆସିଥିବା ବେଳେ ତାକୁ ଏକୁଟିଆ ପାଇ ଟେକି ନେଇ ଦୁର୍ଷ୍କମ କରିଥିଲା କୁର୍ବାନ୍ । ନାବାଳିକା ଗୁରୁତର ହେବାରୁ ପରିବାର ଲୋକେ ତାକୁ ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରିବା ସହ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ ଆରମ୍ଭ କରିଥିଲା ହେଲେ ସେତେବେଳେ ଅଭିଯୁକ୍ତ ଫେରାର ଯାଇଯାଇଥିଲା ।
ଏନେଇ କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶ କ୍ରମେ ବଡ଼ବିଲ ଏସଡିପିଓଙ୍କ ନେତୃତ୍ବରେ ପାଞ୍ଚଟି ଟିମ୍ ଦିନରାତି ଅଭିଯୁକ୍ତ ଉପରେ ନଜର ରଖିଥିଲେ । ଶେଷରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଅଭିଯୁକ୍ତ କୁର୍ବାନ୍ ଆତ୍ମଗୋପନ କରିଥିବା ବେଳେ ପୋଲିସ ତାକୁ ସେଠାରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଗରୁ ମଧ୍ୟ ସେକ କୁର୍ବାନ୍ ନାମରେ ଗୋ ଚାଲାଣ ମାମଲା ରହିଥିବା ପୁଲିସ ପକ୍ଷରୁ ଜଣାପଡିଛି ।