ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ସଂସଦରେ ଆସୁଛି ବଜେଟ୍। ଉପସ୍ଥାପିତ ହେବାକୁ ଯାଉଛି ଆର୍ଥିକ ବର୍ଷ 2024-25ରବାର୍ଷିକ ସାଧାରଣ ବା କେନ୍ଦ୍ରୀୟ ବଜେଟ। ଏହା ଏନଡିଏ ସରକାରର ତୃତୀୟ ପାଳିର ପ୍ରଥମପୂର୍ଣ୍ଣାଙ୍ଗ ବଜେଟ୍। ଅର୍ଥମନ୍ତ୍ରୀ ଭାବେ ନିର୍ମଳାଙ୍କ ଏହା ସପ୍ତମ ବଜେଟ । ବଜେଟରେ କେଉଁ ବଡ଼ ଘୋଷଣା ହେବ, ତାହା ତ ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। କିନ୍ତୁ ଇଏ ବଜେଟ୍ ଉପରେ ସମସ୍ତଙ୍କର ନଜର ରହିଛି। ଏହି ବଜେଟ କେବଳ ଟିକସଦାତାଙ୍କ ପାଇଁ ନୁହେଁ ବରଂ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ପାଇଁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ରିଫକେସ୍ ଦେଶର ଅର୍ଥନୀତିକୁ ବୁଷ୍ଟର ଡୋଜ୍ ଦେଉଛି ନା ଏହା କେବଳ ସାଧାରଣ ବଜେଟରେ ପରିଣତ ହେଉଛି, ତାହା ବଜେଟ୍ ଭାଷଣରେ ଦେଖିବାକୁ ମିଳିବ। ବଜେଟ୍ ଉପସ୍ଥାପନ ପାଇଁ ପ୍ରଥମେ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ଆଣିବେ। ୧୦ଟାରେ ଅର୍ଥମନ୍ତ୍ରୀ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ବଜେଟ୍ ନେଇ ସଂସଦରେ ପହଞ୍ଚିବେ ଏବଂ ସେଠାରେ ଆଉ ଏକ ଫଟୋ ସେସନ ହେବ। ବଜେଟ୍ ପୂର୍ବରୁ ଦୁଇ ଦୁଇ ଥର ଫଟୋ ସେସନର ପରମ୍ପରା ଏବେବି ରହିଛି। ଆଉ ୧୧ଟାରେ ଅର୍ଥମନ୍ତ୍ରୀ ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ପ୍ରାୟ ଦିନ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜେଟ୍ ଉପରେ ପ୍ରତିକ୍ରିୟା ଦେବେ। ଅପରାହ୍ନ ୩ଟାରେ ବଜେଟକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।ଏଥର ପୂର୍ଣ୍ଣାଙ୍ଗ ବଜେଟରୁ ସାଧାରଣ ଜନତାଙ୍କର ଅନେକ ଆଶା ରହିଛି । ଗରିବ ତଥା ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଏଥର ମୋଦୀ ସରକାର କ’ଣ ଉପହାର ରଖିଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି ।