ପ୍ରସ୍ତୁତ ହେଲା ୧୦୦ ଦିନର କାର୍ଯ୍ୟ ଖସଡ଼ା
ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିବା ପରେ ଜୋଶରେ ରାଜ୍ୟ ବିଜେପି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ମନ୍ତ୍ରୀଙ୍କ ସହ ବଡ ବୈଠକ କରି ଶହେ ଦିନର ରୋଡମ୍ୟାପ ଦେଇଛନ୍ତି । ଦିଲ୍ଲୀରୁ ଆଣିଥିବା ବାର୍ତ୍ତା ମନ୍ତ୍ରୀଙ୍କ ପାଖରେ ପହଞ୍ଚାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ଲୋକଙ୍କ ପାଖରେ ପଂହଚିବା ପାଇଁ ବି ପରାମର୍ଶ ଦେଇଛନ୍ତି । ମୋଟ ଉପରେ ଆଜିର ବୈଠକରେ ଶହେ ଦିନର ଖସଡା ପ୍ରସ୍ତୁତ ହୋଇଛି ।
ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର କରିବା ପରେ ୩ ଦିନିଆ ଗସ୍ତରେ ଦିଲ୍ଲୀ ଯାଇଥିଲେ ମୁଖମନ୍ତ୍ରୀ ମୋହନ ମାଝି ଓ ୨ ଉପମୁଖ୍ୟମନ୍ତ୍ରୀ କନକବର୍ଧନ ସିଂହଦେଓ , ପ୍ରଭାତୀ ପରିଡା । ଗସ୍ତସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଭଳି ବିଜେପିର ତୁଙ୍ଗନେତାଙ୍କୁ ଭେଟି ଶାସନ ସମ୍ପର୍କରେ ଗୁରୁମନ୍ତ୍ର ଆଣିଥିଲେ। ଆଉ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି ।
ମନ୍ତ୍ରୀମଣ୍ଡଳରେ ଅନେକ ନୂଆ ଚେହେରା ଥିବାରୁ ମନ୍ତ୍ରୀ ଯେଭଳି ପ୍ରଭାବଶାଳୀ ଢଙ୍ଗରେ କାମ କରିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି ମୋହନ ମାଝି। ବିଶେଷକରି ତୃଣମୂଳସ୍ତରରେ ଯୋଜନା ପଂହଚିବା ଉପରେ ମୁଖ୍ୟମନ୍ତ୍ରୀ ଫୋକସ କରିଥିବା ଚର୍ଚ୍ଚା ହେଉଛି ।ନୂଆ ସରକାର ଶପଥ ନେବାର ମାତ୍ର ୩ ସପ୍ତାହ ହୋଇଛି । ଆଉ ନୂଆ ମନ୍ତ୍ରୀ ନିଜ ନିଜ ବିଭାଗର ସମୀକ୍ଷା କରି ତଥ୍ୟ ନେଇଛନ୍ତି । ଏବେ ଆଗକୁ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୃତିକୁ ପାଳନ କରିବାକୁ ବଡ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି ।