ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଗ୍ରାମ ନିକଟରରେ ଥିବା ପବିତ୍ର ସୀତା ପର୍ବତରେ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତୀ ପରଦିନ ଏହି ମେଳା ଏଠାରେ ଅନୁଷ୍ଠିତ ହୁଏ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୀତା ପାହାଡରେ ମକର ମେଳା ଅତ୍ୟନ୍ତ ଜାକଜକମରେ ଅନୁଷ୍ଠିତ ହୋଇଛି । ଏହି ସୀତା ପର୍ବତକୁ ମକର ସଂକ୍ରାନ୍ତି ପରଦିନ ଅର୍ଥାତ ଆଜି ଉଭୟ ଓଡିଶା-ଆନ୍ଧ୍ର ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଜନସାଧାରଣ ମକର ମେଳାରେ ଯୋଗଦେଇଥିବାର ଦେଖିବାକୁ ମିଳିଛି । ପ୍ରକୃତିର ବର ସଦୃଶ୍ୟ ଗୋଟାଏ ବିରାଟ ଶୀଳା ବା ଗୋଟାଏ ମାତ୍ର ବିରାଟ ପଥର ଭଳି ଦେଖାଯାଉଥିବା ସୀତାପର୍ବତର ଦୃଶ୍ୟ ଅତି ମନୋହର । ଦେଖଣାହାରିଙ୍କ ମନକୁ ଏହାର ସବୁଜିମା ବେସ ଆକର୍ଷିତ କରିଥାଏ ।
ସମୂଦ୍ରପତ୍ତନଠାରୁ ୪ଶହ ଫୁଟ ଉଚ୍ଚତା ଓ ୨ଶହ ଫୁଟ ଓସାରରେ ଗୋଟାଏ ବିରାଟ ପଥର ଭଳି ଥିବା ଏହି ପର୍ବତରେ ରଘୁପତି ରାମଚନ୍ଦ୍ର, ମାଁ ସୀତାଦେବୀ ଓ ହନୁମାନଙ୍କ ମନ୍ଦୀର ଓ ବିଗ୍ରହ ରହିଛି । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ରାମ, ସୀତା ଓ ଲକ୍ଷ୍ମଣ,ହନୁମାନ ବନବାସ ସମୟରେ ଏହି ପର୍ବତରେ ଆଶ୍ରୟ ନେଇଥିଲେ । ଏଥିଅନୁଯାୟୀ ପର୍ବତରେ ସୀତାଙ୍କ ପାଦଚିହ୍ନ ରହିଛି । ସେହିଭଳି ଗୋଟାଏ ମାତ୍ର ପଥରରେ ଥିବା ଏହି ପର୍ବତ ୪ଶହ ଫୁଟ ଉଚ୍ଚରେ ଥିଲେ ସୁଦ୍ଧା ଏଠାରେ ଏକ କୁପ ରହିଛି । ଯାହାର ପାଣି ଏହି ମେଳା ଦିନ ଭକ୍ତମାନେ ପାନକରି ସେମାନଙ୍କ କ୍ଷୁଦା ମେଣ୍ଟାଇଥାନ୍ତି । ଏହି କୂପର ପାଣି ପଇଡ ପାଣି ଭଳି ସୁମଧୁର ଅଟେ । ଏତେ ଉଚ୍ଚ ଥିବା ପାହାଡରେ ଏଭଳି କୂପ ଜନସାଧାରଣଙ୍କୁ ବିସ୍ମିତ କରିବା ସହ ଭଗବାନଙ୍କ ଆର୍ଶୀବାଦ ବିନା ଏଭଳି କୂପ ହୋଇପାରେନା ବୋଲି ବିବେଚନା କରାଯାଉଛି । ତେଣୁ ଭକ୍ତମାନେ ଅତ୍ୟନ୍ତ ଭକ୍ତିର ସହ ଏଠାରେ ପୂଜାଚ୍ଛନା କରିବା ସହ ମେଳାରେ ଆନନ୍ଦ ନେଇଥାନ୍ତି । ଏହି ମେଳାକୁ ଶାନ୍ତିଶୃଙ୍ଖଳାରେ ପାଳନ ପାଇଁ ପ୍ରଶାସନ ଓ ପୋଲିସ ତରଫରୁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବାର ଦେଖାଯାଇଥିଲା ।
ସେହିପରି ସୀତାପାହଡ କମିଟି, ଗାରବନ୍ଧ, ବଡକତୁରୁ, ଛତ୍ରପୁର ଆଦି ଗ୍ରାମବାସୀ ଏହି ଜନସମାଗମର ମେଳାକୁ ସହଯୋଗ କରିଆସୁଛନ୍ତି । ସୀତା ପାହାଡ ଉନ୍ନୟନ କମିଟିର ପ୍ରଫୁଲ ପାତ୍ରଙ୍କ ପ୍ରତ୍ୟେକ୍ଷ ପରିଚାଳନାରେ ସମସ୍ତ କାର୍ଯ୍ୟକ୍ରମ ହେଉଛି । ସେହିପରି ଆଇନ ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବାପାଇଁ ଗଜପତି ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ୍. କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ମାଧବାନନ୍ଦ ନାୟକଙ୍କ ସହ ଗାରବନ୍ଧ ଥାନା ଅଧିକାରିଣୀ ରିନାରାଣୀ ସାହୁ, ପୋଲିସ ଅଧିକାରୀ ଓ ବହୁ ସଂଖ୍ୟକ ପୋଲିସ ମୁତୟନ ହୋଇଥିବାର ଦେଖିବାକୁ ମିଳିଛି l