ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ) :-ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ହେଲା ବ୍ରାଣ୍ଡିଙ୍ଗ । ଲାଗିଲା “ଆମେ ଗଢ଼ିବୁ ନୂଆ ଓଡ଼ିଶା”ର ଷ୍ଟିକର । ରାଜ୍ୟର ସବୁ ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ “ଆମେ ଗଢ଼ିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ ହେବାକୁ ଥିବାବେଳେ ଆଜି ସେହିକ୍ରମରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ପୂର୍ବରୁ ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତି ସ୍କୁଲକୁ ଚିଠି ମାଧ୍ୟମରେ ନିର୍ଦେଶ ଦେଇଥିଲା । ସ୍କୁଲର ନବମ ଶ୍ରେଣୀ ପିଲାଙ୍କ ସାଇକେଲରେ ଏହି ଷ୍ଟିକର ଲଗାଯାଇଛି । “ଆମେ ଗଢ଼ିବୁ ନୂଆ ଓଡ଼ିଶା” ଷ୍ଟିକର ସହ ” ଆମେ ପଢ଼ିବୁ, ବଢ଼ିବୁ, ଶ୍ରେଷ୍ଠ ହେବୁ”ର ଷ୍ଟିକର ମଧ୍ୟ ଲଗାଯାଇଛି। କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମଙ୍ଗରାଜଙ୍କ କହିବା ଅନୁସାରେ ସରକାର ନୂଆ ଯୋଜନା ଆଣିଛନ୍ତି। ପିଲାମାନେ କିଭଳି ସ୍ମାର୍ଟ ହେବେ, ସବୁଦିନ ସ୍କୁଲ ଆସିବେ, ଉପସ୍ଥାନ ବଢ଼ିବ ସେ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ଛାତ୍ରଛାତ୍ରୀଙ୍କ ଡ୍ରେସ ଓ ଟୋପି ମାଧ୍ୟମରେ ସରକାର ବ୍ରାଣ୍ଡିଙ୍ଗ କରିଥିବାବେଳେ ଏବେ ସାଇକେଲରେ ଏହି ବ୍ରାଣ୍ଡିଙ୍ଗ କରୁଛନ୍ତି । ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ଛାତ୍ରଛାତ୍ରୀ ମାନଙ୍କୁ ସାଇକେଲ କିଣିବାକୁ ୨୦୨୩-୨୪ ଶିକ୍ଷାବର୍ଷରୁ ୩୫୦୦ ଟଙ୍କାର ଅର୍ଥରାଶି ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯାଉଛି । ଫଳରେ ଏହି ଅର୍ଥରେ ଛାତ୍ରଛାତ୍ରୀମାନେ ସାଇକେଲ କିଣି ବିଦ୍ୟାଳୟକୁ ସହଜରେ ଯିବାଆସିବା କରିପାରୁଛନ୍ତି ।