ବାଲେଶ୍ୱର ( ବିପ୍ଲବୀ ପରିକ୍ରମା ):- 2023 ଜୁନ 2 ତାରିଖ, ସନ୍ଧ୍ୟା 7ଟା ସ୍ଥାନ ବାହାନଗା । ଆଜିବି ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ । ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଉଠୁଛି ଲୋମ । କାନରେ ଆଜିବି ବାଜୁଛି ରେଳ ଟ୍ରାକରୁ ଶୁଭୁଥିବା ଆର୍ତ୍ତ ଚିତ୍କାର । ସେଦିନ ଅନ୍ଧକାର ରାତିରେ ଲୌହଦାନବ ରଚିଥିଲା ରକ୍ତ ଭୋଜି । କୁଢ କୁଢ ମୃତଦେହ ସମସ୍ତଙ୍କୁ ଧୈର୍ଯ୍ୟହରା କରିଥିଲା ।ଅନ୍ଧାରକୁ ଚିରି ଟ୍ରାକରେ ଗଡୁଥିଲା କରମଣ୍ଡଳ ଏକ୍ସପ୍ରେସ । ଗନ୍ତବ୍ୟ ସ୍ଥଳର ନିକଟତର ହେଉଥିଲେ ଯାତ୍ରୀ । କିଏ ପରିବାର ସହ ତ କିଏ ସାଙ୍ଗ ସାଥିଙ୍କ ସହ ହସଖୁସିରେ ମଜି ଯାଇଥିଲେ । ହେଲେ ଅଚାନକ ନିମିଷକ ମଧ୍ୟରେ ସବୁ କିଛି ଛାରଖାର ହୋଇଯାଇଥିଲା । ଆଖି ବୁଜିଥିଲେ ଶହ ଶହ ଯାତ୍ରୀ, ରକ୍ତରେ ଭିଜିଥିଲା ବାହାନଗା ଟ୍ରେନ ଟ୍ରାକ । ସାରା ବିଶ୍ବକୁ ସ୍ତବ୍ଧ କରିଥିଲା କରମଣ୍ଡଳ ଟ୍ରେନ ଦୁର୍ଘଟଣା । ଆଜି ଏହି ଘଟଣାକୁ ବର୍ଷେ ପୁରିଛି । ଦିନ ବଦଳିଛି ସମୟ ବଦଳିଛି, କିନ୍ତୁ ସେହି ଦିନର ସେ ଦୁଃଖଦ ଘଟଣା କାହାରି ମନରୁ ଆଜି ବି ଲିଭିନାହିଁ । 293 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ 1100ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ଏହି ଦୁର୍ଘଟଣା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା ।
ସେଦିନ ଥିଲା ଶୁକ୍ରବାର, ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ । ହଠାତ୍ ବାହାନଗାରେ ଲୁପ ଲାଇନକୁ ଚାଲିଯାଇ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା କରମଣ୍ଡଳ । ଫଳରେ ଟ୍ରେନର ବଗି ଟ୍ରାକରେ ଛିଟିକି ପଡିଥିଲା । ଏହି ସମୟରେ ଅପର ପାର୍ଶ୍ବରୁ ଆସୁଥିବା ଯଶୋବନ୍ତପୁର ଏକ୍ସପ୍ରେସ କରମଣ୍ଡଳ ବଗିରେ ପିଟି ହୋଇଥିଲା । ଆର୍ତ୍ତ ଚିତ୍କାରରେ ଫାଟି ପଡିଥିଲା ସାରା ଅଞ୍ଚଳ । ଟ୍ରାକ ତଳୁ ଶୁଭୁଥିଲା ବଞ୍ଚାଅ ବଞ୍ଚାଅର ଶବ୍ଦ । ଖବର ପ୍ରଚାର ହେଉ ହେଉ ସଙ୍ଗେ ସଙ୍ଗେ ରେଳ ଲାଇନ ପାଖରେ ଲାଗିଯାଇଥିଲା ଲୋକଙ୍କ ଭିଡ଼ । ଯିଏ ଯେମିତି ପାରିଥିଲା ଆହତ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା ।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏହାର ଶବ୍ଦରେ ଥରି ଉଠିଥିଲା ପୁରା ବାହାନଗା ଅଞ୍ଚଳ । ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ଜୀବନ ବଞ୍ଚାଇବାକୁ ଶୁଭୁଥିଲା ଚିତ୍କାର । ଟ୍ରେନ ତଳୁ ଉଦ୍ଧାର କରିବାକୁ କୋହଭରା କଣ୍ଠରେ ଚିତ୍କାର କରିଥିଲେ ଯାତ୍ରୀ । କାହାର ଜୀବନ ଯାଇଥିଲା ତ ଆଉ କିଏ ଅଚେତ ହୋଇପଡିଥିଲା । କାହାର ଗୋଡ ଶରୀର ଦୁଇ ଭାଗ ହୋଇଯାଇଥିଲେ ତ ଆଉ କାହାର ଗୋଡ ଶରୀରଠୁ ଅଲଗା ହୋଇଯାଇଥିଲା । ଏହାପରେ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । ଆଖି ଆଗରେ ଦୁର୍ଘଟଣା ପରର ସେ ଭୟଙ୍କର ଦୃଶ୍ୟ ଦେଖି ସମସ୍ତେ ହୋଇଯାଇଥିଲେ ଧୈର୍ଯ୍ୟହରା । ଆଖି ଆଗରେ ପଡିଥିଲା କୁଢ କୁଢ ମୃତଦେହ । ତଥାପି ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଅଣ୍ଟା ଭିଡିଥିଲେ ବାଲେଶ୍ବରବାସୀ । ଆମ୍ବୁଲାନ୍ସ ଆସିବା ପୂର୍ବରୁ ସଙ୍ଗେ ସଙ୍ଗେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ କରିଥିଲେ ଭର୍ତ୍ତି ।
ବାହାନଗା ଷ୍ଟେସନ ପାଖରରେ ଥିବା ଗେଟ୍ ନମ୍ବର 94ରେ ଲେଭଲ କ୍ରସିଂର ମରାମତି କାମ ଟ୍ରେନ ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି । ବରିଷ୍ଠ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ହୋଇଥିଲା । ହେଲେ ସେ ଏଥିପାଇଁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନନେଇ ଅନ୍ୟ ଏକ ଗେଟ 79 ନମ୍ବର ସର୍କିଟ ଡାଏଗ୍ରାମ ଆଧାରରେ ମରାମତି କାମ କରିଥିଲେ ବୋଲି ସିବିଆଇ ପକ୍ଷରୁ ଦର୍ଶାଯାଇଥିଲା ।
ଟ୍ରେନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏଥିରେ ପ୍ରାଣ ହରାଇଥିବା ଯାତ୍ରୀଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଥିଲା । ସବୁଠାରୁ ଅଧିକ ଆହ୍ବାନପୂର୍ଣ୍ଣ ଥିଲା ମୃତଦେହ ଚିହ୍ନଟ କରିବା ଓ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା । ଏଥିପାଇଁ ଓଡିଶା ସରକାର ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ । ଚିହ୍ନଟ ହୋଇନଥିବା ମୃତଦେହଗୁଡିକୁ ଭୁବନେଶ୍ବର ଏମ୍ସରେ ରଖାଯାଇଥିଲା । ତଥାପି ଶେଷ ପର୍ଯ୍ୟନ୍ତ ସମସ୍ତ ମୃତକଙ୍କ ମୃତଦେହ ଚିହ୍ନଟ ଓ ହସ୍ତାନ୍ତରଣ ପ୍ରକ୍ରିୟା ଶେଷ ହୋଇପାରିନଥିଲା । ଅକ୍ଟୋବର 11 ତାରିଖରେ ଚିହ୍ନଟ ହୋଇପାରିନଥିବା 28 ମୃତଦେହକୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଶେଷକୃତ୍ୟ କରାଯାଇଥିଲା ।