ଋଷିଆ ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ଆତଙ୍କବାଦୀ ଆକ୍ରମଣ : ୬୦ରୁ ଅଧିକ ମୃତ୍ୟୁ ୧୪୫ ଆହତ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଋଷିଆ ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଛି । ଶୁକ୍ରବାର ରାତିରେ କିଛି ଅସ୍ତ୍ରଶସ୍ତ୍ରଧାରୀ ଆତତାୟୀମାନେ ମସ୍କୋ କ୍ରୋକସ ସିଟି ହଲରେ ପଶି ଆଖିବୁଜା ଗୁଳିମାଡ ସହ ବୋମା ବିସ୍ଫୋରଣ କରିଛନ୍ତି । ଏହି ଆକ୍ରମରେ ଅତିକମରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆତତାୟୀଙ୍କ ବିସ୍ଫୋରଣରେ କନସର୍ଟ ହଲରେ ନିଆଁ ଲାଗିଯାଇଥିଲା । ଯେଉଁଥି ପାଇଁ ସ୍ଥିତି ଆହୁରି ଭୟଙ୍କର ହୋଇଯାଇଥିଲା ।

ଏହି ଆକ୍ରମଣ ନେଇ ଋଷିଆର ଏଫଏସବି ଫେଡେରାଲ ସିକ୍ୟୁରିଟି ସର୍ଭିସ ପକ୍ଷରୁ ସୂଚନା ଦିଆଯାଇଛି ।ଋଷୀୟ ନ୍ୟୁଜ ରିପୋର୍ଟ ଅନୁସାରେ, ଆତଙ୍କବାଦୀମାନେ କ୍ରୋକସ ସିଟି ହଲରେ ଅତର୍କିତ ଗୁଳିମାଡ ସହ ବିସ୍ଫୋରକ ଫିଙ୍ଗିଥିଲେ । ଯେଉଁଥିପାଇଁ ହଲରେ ନିଆଁ ଲାଗିଯାଇଥିଲା । ତେବେ ବିଲ୍ଡିଂରୁ ପ୍ରବଳ ମାତ୍ରାରେ କଳା ଧୂଆଁ ବାହାରୁଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନା ଅନୁସାରେ, ଆକ୍ରମଣ ସମୟରେ କନସର୍ଟ ହଲରେ ଋଷୀୟ ରକ୍ ବ୍ୟାଣ୍ଡ ପିକନିକ୍ ପକ୍ଷରୁ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା ।

ଏଥିପାଇଁ ସେଠାରେ ପ୍ରାୟ ୬ ହଜାର ଲୋକ ଏକତ୍ରିତ ହୋଇଥିଲେ । ଏହି ସମୟରେ କିଛି ଆତତାୟୀମାନେ ହଲରେ ପଶି ଦର୍ଶକମାନଙ୍କ ଉପରକୁ ଗୁଳିମାଡ ସହ ବିସ୍ଫୋରଣ ଘଟାଇଥିଲେ । ସ୍ବୟଂଚାଳିତ ବନ୍ଧୁକରୁ ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ହଲର ଛାତ ମଧ୍ୟ ଭୁଶୁଡି ପଡିଥିଲା । ହଲ ଭିତରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକମାନଙ୍କୁ ଉଦ୍ଧାର କରାଯାଉଛି । ତେବେ ନିଆଁ ଲାଗିବା ଯୋଗୁଁ ଆହୁରି ଅନେକ ଲୋକ ସେଠି ଫସି ରହିଥିବା ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here