ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଗତ ସେପ୍ଟେମ୍ବର ୧୫ତାରିଖ ଦିନ ସେନା ଅଧିକାରୀ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ କିଛି ଉଦଭ୍ରାନ୍ତ ଯୁବକ ମାନଙ୍କର ଦୌରାତ୍ମ୍ୟର ଶିକାର ହେବାପରେ ରାଜଧାନୀ ଉପକଣ୍ଠ ଭରତପୁର ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ।
ଥାନା କର୍ମଚାରୀ ପୋଲିସ୍ ୟୁନିଫର୍ମରେ ନ ରହିବା ଘଟଣାରେ ଅଭିଯୋଗକାରିଣୀ ପୋଲିସକୁ କର୍ତ୍ତବ୍ୟବୋଧତା ସୁଚାଉଥିଲାବେଳେ କିଛି ଥାନା କର୍ମଚାରୀ ବଚସା ଆରମ୍ଭ କରିବା ସହ ତାଙ୍କ ବନ୍ଧୁ ମେଜର ଗୁରୁବଂଶଙ୍କୁ ହାଜତରେ ବନ୍ଦ କରିବାକୁ ଉଦ୍ୟମ କରିଥିଲେ।ଜଣେ ମେଜରଙ୍କୁ ହାଜତରେ ବନ୍ଦ କରିବା ଆଇନ ସଂଗତ ନୁହେଁ ବୋଲି ମହିଳା ଜଣଙ୍କ ଦର୍ଶାଉଥିଲା ବେଳେ ଥାନା ଅଧିକାରୀ ଓ ଅନ୍ୟ ୪ ଜଣ ପୋଲିସ କର୍ମଚାରୀ ଅଭିଯୋଗକାରିଣୀ ମହିଳାଙ୍କୁ ଅସଦାଚରଣ କରିବାସହ ନିସ୍ତୁକ ମାଡ଼ ମାରିଥିଲେ ଏବଂ ତାଙ୍କ ମେଜର ବନ୍ଧୁଙ୍କୁ ରାତି ତମାମ୍ ହାଜତ ଭିତରେ ବନ୍ଦ କରିଦେଇଥିଲେ।କିନ୍ତୁ ପରଦିନ ଘଟଣାଟି ଲୋକ ଲୋଚନକୁ ଆସିଲା ପରେ ଖୋଦ୍ ଡିସିପି ଏକ ଜାତୀୟ ଗଣ ମାଧ୍ୟମରେ ଅଭିଯୋଗକାରିଣୀ ମହିଳା ନିଶାସକ୍ତ ଅବସ୍ଥାରେ ପୋଲିସଙ୍କୁ ଆକ୍ରମଣ କରିଥିବାର କଥା କହି ଘଟଣାଟିକୁ ଚପେଇଦେବାର ଚେଷ୍ଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଥିଲା।
ଏଭଳି ଏକ ସମ୍ବେଦନଶୀଳ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିବା ସହ ଜନମାନସକୁ ଗଭୀର ଭାବେ କ୍ଷତାକ୍ତ କରିଛି ।ଏଣୁ ଆମ୍ ଆଦମୀ ପାର୍ଟି ତରଫରୁ ପୀଡ଼ିତ ମହିଳା ଓ ସେନା ଅଧିକାରୀଙ୍କ ପ୍ରତି ପୋଲିସ ଦ୍ବାରା ହୋଇଥିବା ଅକଥନୀୟ ନିର୍ଯାତନାର କଡ଼ା ଶବ୍ଦରେ ନିନ୍ଦା କରିବା ସହ ନିମ୍ନଲିଖିତ ୪ଦଫା ସମ୍ବଳିତ ଦାବି ଆପଣଙ୍କ ଗୋଚରାର୍ଥେ ନ୍ୟାୟ ନିମନ୍ତେ ଆମ୍ଭେ ଉପସ୍ଥାପନ କରୁଛୁ।
୧ – ଭରତପୁର ଥାନାରେ ଘଟିଥିବା ଲୋମହର୍ଷଣକାରୀ ଘଟଣାଟି ମାନ୍ୟବର ହାଇକୋର୍ଟଙ୍କ ତତ୍ତ୍ଵାବଧାନରେ ତଦନ୍ତ କରାଯାଉ।
୨ – ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁକରି ତୁରନ୍ତ ଗିରଫ କରଯାଉ।
୩ – ପୀଡ଼ିତା ଓ ତାଙ୍କ ମେଜର ବନ୍ଧୁଙ୍କ ସୁରକ୍ଷା ଅବିଳମ୍ୱେ ବ୍ୟବସ୍ଥିତ କରାଯାଉ।
୪ – ନିୟମ ମୁତାବକ ସମସ୍ତ ଥାନାରେ ସିସିଟିଭି ବ୍ୟବସ୍ଥା ରହିବା ଆବଶ୍ୟକ। ଭରତପୁର ଥାନାରେ ସିସିଟିଭିର ବ୍ୟବସ୍ଥା ରହିଥିଲେ ହୁଏତ ଏଭଳି ଅମାନବୀୟ ଘଟଣାର ଅନେକ ଦିଗ ଉନ୍ମୋଚିତ ହୋଇପାରିଥାନ୍ତା ! ନୂଆ ଗୃହରେ ଭରତପୁର ଥାନା କାର୍ଯ୍ୟ ଆରମ୍ଭ ହୋଇ ସାରିଥିଲାବେଳେ କାହିଁକି ସିସିଟିଭି ସ୍ଥାପନ କରିବାରେ କର୍ତ୍ତୃପକ୍ଷ ବିଳମ୍ବ କରିଛନ୍ତି ତାହାର ବିଧିବଦ୍ଧ ଅନୁସନ୍ଧାନ କରି ସମସ୍ତ ଥାନାରେ ସିସିଟିଭି ତୁରନ୍ତ ବ୍ୟବସ୍ଥା କରିବା ନିମନ୍ତେ ଆପଣ ଯତ୍ନଶୀଳ ହେବାକୁ ଅନୁରୋଧ।
ଦିନକୁ ଦିନ ରାଜଧାନୀ ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅସାମାଜିକ ଯୁବକଙ୍କ ଦୋରତ୍ମ୍ୟ ଓ ଅରାଜକତା ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏଣୁ ଆପଣ ଭରତପୁର ଥାନା ଘଟଣାକୁ ଅତି ସନ୍ତର୍ପଣର ସହ ବିଚାରକୁ ନେଇ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ଅଗ୍ରସର ହେବାକୁ ନିବେଦନ କରୁଛୁ।