ଖଡ଼ିଆଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶ୍ରମିକ ଶ୍ରେଣୀୟ ଲୋକଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପ୍ରକାର ସହାୟତା ର ବ୍ୟବସ୍ଥା କରିଥିବା ବେଳେ ଅନେକାଂଶ ରେ ଏହାର ସଫଳ ରୂପାୟନ ହୋଇନ ପାରି ଜିଲ୍ଲା ଶ୍ରମ ବିଭାଗ ଓ ଏଜେଣ୍ଟ ଦଲାଲ ମିଶି ସହାୟତା ରାଶି କୁ ହଡ଼ପ କରୁଥିବା ଅନେକ ଉଦାହରଣ ସାମ୍ନା କୁ ଆସିଛି । ହେଲେ ଜଣେ ଜୀବିତ ଶ୍ରମିକ ଙ୍କୁ ମୃତ୍ୟୁ ଦର୍ଶାଇ ମୃତ୍ୟୁ କାଳୀନ ସହାୟତା ହଡ଼ପ ବର୍ତ୍ତମାନ ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏହି ଘଟଣା ସାମ୍ନା କୁ ଆସିଛି ଖଡ଼ିଆଳ ବ୍ଲକ ନରସିଂହପୁର ଗାଁ ରୁ-
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ନରସିଂହପୁର ଗାଁ ର ବିଷ୍ଣୁ ପ୍ରସାଦ ବାଗ ନାମକ ଶ୍ରମିକ ବର୍ତ୍ତମାନ ମଧ୍ୟ ସୁସ୍ଥ ସବଲ୍ । ବର୍ତ୍ତମାନ ମଧ୍ୟ ସେ ବିଭିନ୍ନ ବିଭିନ୍ନ କାମ ରେ ଶ୍ରମିକ ଭାବରେ ନିୟୋଜିତ ହୋଇ ନିଜର ଜୀବନ ଜୀବିକା ଚଳାଉଛନ୍ତି । ୨୦୧୬ ମସିହା ରେ ସେ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟ ରେ ଶ୍ରମିକ କାର୍ଡ ପଞ୍ଜିକରଣ କରିଥିଲେ । ହେଲେ ପରିତାପ୍ ର ବିଷୟ ଏହା ଯେ ୨୦୧୯ ମସିହା ରେ ପଞ୍ଜିକରଣ ର ନବୀକରଣ ପାଇଁ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇସାରିଛି ଓ ତାଙ୍କ ନାମରେ ମୃତ୍ୟୁ କାଳୀନ ସହାୟତା ଯାଇ ସାରିଥିବା ଜାଣିବାକୁ ପାଇଥିଲେ । ଖବର ଶୁଣି ନିଜେ ବିଷ୍ଣୁ ପ୍ରସାଦ ବାଗ ବିଶ୍ବାସ କରି ପାରିନଥିଲେ । ବିଭାଗୀୟ କର୍ମଚାରୀ ଙ୍କୁ କିଛି ଭୁଲ ହୋଇଥିବ ଦେଖନ୍ତୁ ଓ ମୋର ପଞ୍ଜିକରଣ ର ନବୀକରଣ କରି ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ । ହେଲେ ଦାୟୀତ୍ବ ରେ ଥିବା ଅଧିକାରୀ ଓ କର୍ମଚାରୀ କାର୍ଡ ନବୀକରଣ ପାଇଁ ସ୍ପଷ୍ଟ ମନା କରିଦେଇଥିଲେ । ଆଜକୁ ଦୀର୍ଘ ଛଅ ବର୍ଷ ହେବ ଶ୍ରମ ବିଭାଗ କାର୍ଯ୍ୟାଳୟ ଠାରୁ ନେଇ ରାଜ୍ୟ ଶ୍ରମ କମିଶନର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ପ୍ରକାର ପଦକ୍ଷେପ ନେଉ ନାହାଁନ୍ତି । ଆଗାମୀ ସାତ ଦିନ ମଧ୍ୟରେ ଏହାର ଉଚିତ ପଦକ୍ଷେପ ନନେଲେ ବିଷ୍ଣୁ ସପରିବାର ସହ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣ ଦେବେ ବୋଲି ବିଷ୍ଣୁ ଙ୍କ ସହ ସ୍ଥାନୀୟ ସରପଞ୍ଚ ଚେତାବନୀ ଦେଇଛନ୍ତି ।
ଜଣେ ଜୀବିତ ବ୍ୟକ୍ତି ଙ୍କୁ ମୃତକ ଦର୍ଶାଇ ମୃତ୍ୟୁ କାଳୀନ ସହାୟତା ହଡ଼ପ ଘଟଣା ବର୍ତ୍ତମାନ ଜିଲ୍ଲା ରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାକୁ ଘଣ୍ଟ ଘୋଡାଇ ସଂପୃକ୍ତ କର୍ମଚାରୀ ଓ ଦଲାଲ ଙ୍କୁ ସୁରକ୍ଷା ଦେଉଛି ଜିଲ୍ଲା ଶ୍ରମ ବିଭାଗ । ୨୦୧୯ ମସିହା ରେ ଶ୍ରମିକ ବିଷ୍ଣୁ ଏହି ଖବର ଜାଣିବା ପରେ ସେହି ଦିନ ଠାରୁ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟ ଠାରୁ ନେଇ ଜିଲ୍ଲାପାଳ, ରାଜ୍ୟ ଶ୍ରମ କମିଶନର ଙ୍କ ସହ ମୁଖ୍ୟମନ୍ତ୍ରି ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ଦେଇ ଶ୍ରମ କାର୍ଡ ନବୀକରଣ କରିବା ସହ ଦୋଷୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ମାନେ ଆଜି କାଲି କରି ଦୀର୍ଘ ବର୍ଷ ଧରି ଜଣେ ଶ୍ରମିକ ଙ୍କ ନ୍ୟାୟ ପ୍ରଦାନ ରେ ଅବହେଳା କରି ଆସୁଛି । ଏମିତି କି ଏହି ଘଟଣା ର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ପାଇଁ ସୂଚନା ଅଧିକାର ଆଇନ ମାଧ୍ୟମ ରେ ତଥ୍ୟ ପ୍ରଦାନ ପାଇଁ ଆବେଦନ କରିଥିଲେ ହେଁ ତଥ୍ୟ ଦେଉ ନାହାନ୍ତି । ଏଥିରୁ ସ୍ପଷ୍ଟ ବାରି ହେଉଛି କି ସବୁ ଜାଣିଶୁଣି ଶ୍ରମ ବିଭାଗ ନିରବତା ଅବଲମ୍ବନ କରି ଦୋଷ ଲୁଚାଇବାକୁ ପ୍ରୟାସ କରୁଛି । ଏହି ଘଟଣା କେବଳ ଉଦାହରଣ ମାତ୍ର ଏପରି ଅନେକ ଘଟଣା ଜିଲ୍ଲା ଶ୍ରମ ବିଭାଗ ରେ ଅଛି ତାହା ସାମ୍ନାକୁ ଆସି ପାରୁନାହିଁ ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନେଇ ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଖଡ଼ିଆଳ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଲଚରଣ ତାଣ୍ଡି ଦାବି କରିଛନ୍ତି। ଅପରପକ୍ଷରେ ଆମେ ବାରମ୍ଵାର ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିଲେ ହେଁ ସମ୍ଭବ ହୋଇ ପାରିନଥିବା ବେଳେ ନୂଆପଡ଼ା ଜିଲ୍ଲାପାଳ ଘଟଣା ର ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି l
ନୂଆପଡ଼ା ଜିଲ୍ଲା ଶ୍ରମ ବିଭାଗ ଦ୍ଵାରା ଦଲାଲ ଙ୍କ ସହାୟତା ରେ ମୃତ୍ୟୁ କାଳୀନ ସହାୟତା ହଡ଼ପ ଘଟଣା ର ସତ୍ୟାସତ୍ୟ କଣ ଏବେ ସନ୍ଦେହ ଘେରରେ । କେମିତି ଜଣେ ଜୀବିତ ବ୍ୟକ୍ତି ଙ୍କୁ ମୃତ୍ୟୁ ଦର୍ଶାଇ ମୃତ୍ୟୁ କାଳୀନ ସହାୟତା ଟଙ୍କା ଖାଇଗଲେ, ଏଥିରେ ବିଭାଗୀୟ ଅଧିକାରୀ, କର୍ମଚାରୀ ଙ୍କ ସଂପୃକ୍ତି ସ୍ପଷ୍ଟ ଜଣା ପଡୁଛି । ଅପରପକ୍ଷରେ ସୂଚନା ଅଧିକାର ରେ ସଂପୃକ୍ତ ଘଟଣା ର ତଥ୍ୟ ପ୍ରଦାନ ନକରିବା ବିଭାଗ ର ସ୍ବଚ୍ଛତା ଉପରେ ପ୍ରଶ୍ନ ଆଗତ କରିଛି । ଏହା ଉପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଦୋଷୀ ଙ୍କ ବିରୁଦ୍ଧ କାର୍ଯ୍ୟାନୁଷ୍ଠାନ ସହ ଜୀବିତ ଶ୍ରମିକ ଙ୍କୁ ନ୍ୟାୟ ପ୍ରଦାନ କରିବା ଜରୁରୀ ହୋଇ ପଡିଛି ।