ମିଶୁ ମିଶୁ ମିଳିଲା ମନ୍ମଥଙ୍କୁ ଟିକେଟ୍ 

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ବିଜେଡିରେ ମିଶୁ ମିଶୁ ମିଳିଲା ଟିକେଟ >ବିଶାଳ ସମାବେଶ କରି ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚିଥିଲେ ସୁର ରାଉତରାୟଙ୍କ ସାନପୁଅ କ୍ୟାପଟେନ୍ ମନ୍ମଥ ରାଉତରାୟ । ବିଜେଡିରେ ମନ୍ମଥ ମିଶିବା ନେଇ ଆଗରୁ ଅନେକ ଚର୍ଚ୍ଚା ଆଲୋଚନା ଆଉ ସୁର-ମନ୍ମଥ ମଧ୍ୟରେ ରାଗ ଅଭିମାନର କଥା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିବା ବେଳେ ଶେଷରେ ଶତାଧିକ ସମର୍ଥକଙ୍କ ସହ ଶଙ୍ଖ ଫୁଙ୍କିଛନ୍ତି ସୁରଙ୍କ ସାନପୁଅ ।

ଆଉ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ।ବିଜେଡିରେ ସାମିଲ ହୋଇ ମନ୍ମଥ ଟିକେ ଭାବବିହ୍ୱଳ ହେବା ସହ ବାପାଙ୍କ ଅନୁମତି ନେଇ ବିଜେଡିରେ ସାମିଲ ହୋଇଥିବା କହିଥିବା ବେଳେ ସୁର ମଧ୍ୟ ନିଜ ପ୍ରତିକ୍ରିୟାରେ ତାଙ୍କ ପୁଅକୁ ବିଜେଡିରେ ଉଚିତ ସମ୍ମାନ ମିଳୁ ବୋଲି ଆଶା ରଖିଥିଲେ । ଆଉ ସବୁଠାରୁ ବଡ କଥା ହେଉଛି, ମନ୍ମଥଙ୍କ ଯୋଗଦାନର ପ୍ରାୟ ଅଢେଇ ଘଣ୍ଟା ପରେ ହିଁ ମନ୍ମଥଙ୍କୁ ବଡ ଉପହାର ଦେଇଛି ବିଜେଡି । ଦିନ ୨ଟା ପରେ ପରେ ହିଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଥିଲା ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଳ ୭୧ ବିଧାନସଭା ଓ ୯ ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ତେବେ ଭୁବନେଶ୍ୱର ଏବଂ ସମ୍ବଲପୁର ଲୋକସଭା ଆସନ ପାଇଁ ଏଥର ଦେଖିବାକୁ ମିଳିବ କଡା ଟକ୍କର । କାହିଁକି ନା ଭୁବନେଶ୍ୱରରେ ମୁହାଁମୁହିଁ ହେବେ ଅପରାଜିତା ଷଡଙ୍ଗୀ ଆଉ ମନ୍ମଥ ରାଉତରାୟ ।

ସେହିପରି ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଟକ୍କର ଦେବାକୁ ଯାଉଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । କିନ୍ତୁ ଏଥର ସମସ୍ତଙ୍କ ନଜର ଭୁବନେଶ୍ୱର ଲୋକସଭା ଆସନକୁ ନେଇ କାହିଁକି ନା ବୁଧବାର ବିଜେଡି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ସହିତ ଭୁବନେଶ୍ୱର ଦଖଲ ପାଇଁ ନିଜର ଯୋଦ୍ଧା ଘୋଷଣା କରିଛି । ବିଜେଡି ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ।

ଆଉ ଅନ୍ୟପଟେ ବିଜେପି ପୁଣିଥରେ ନିଜର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟିକେଟ୍ ଦେଇଛି । ତେଣୁ କାହା ଉପରେ ଏଥର ଭୁବନେଶ୍ୱର ଭୋଟର ଭରସା କରୁଛନ୍ତି ତାହା ଦେଖିବା ବାକି ରହିଲା ।ଭୁବନେଶ୍ୱରରୁ ଅପରାଜିତାଙ୍କ ଉପରେ ବିଜେପି ପୁନଃଶ୍ଚ ଆସ୍ଥା ପ୍ରକଟ କରିଥିବା ବେଳେ ବିଜେଡିରୁ ତାଙ୍କୁ ଚେକ୍ ଦେବାକୁ ଶ୍ରୀମୟୀ ମିଶ୍ର ଲଢିପାରନ୍ତି ବୋଲି ଆକଳନ ଓ ଆଲୋଚନା ହେଉଥିବା ବେଳେ ସବୁ କଳ୍ପନା ଓ ଆକଳନକୁ ଭୁଲ ପ୍ରମାଣିତ କରି ସୁରଙ୍କ ପୁଅଙ୍କୁ ସରପ୍ରାଇଜ୍ କ୍ୟାଣ୍ଡିଡେଟ୍ କରିଛି ବିଜେଡି ।

LEAVE A REPLY

Please enter your comment!
Please enter your name here