ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପୁଣି ବିଜେଡି ଖେଳିଲା ବଂଶବାଦ କାର୍ଡ । ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିତରେ ପୁଅ, ଝିଅ ଓ ପତ୍ନୀଙ୍କ ଲମ୍ବା ତାଲିକା । କେବଳ ପୁରୁଖା ନେତା ନୁହଁନ୍ତି, ବର୍ତ୍ତମାନର ବିଧାୟକମାନଙ୍କୁ ବି ବାଦ୍ ଦେଇ ସେମାନଙ୍କ ଉତ୍ତରାଧିକାରୀଙ୍କୁ ସମ୍ମୁଖ ଯୋଦ୍ଧା ସଜାଇଛି ଦଳ। ନୂଆ ଯୁବ ଚେହେରା ସହ ଦଳ ଲିଗାସି କାର୍ଡ ଖେଳିଥିବା କୁହାଯାଉଛି > କେଉଁଠି ପୁରୁଖା ନେତାଙ୍କ ପୁଅ-ଝିଅଙ୍କୁ ଟିକେଟ୍ । ତ ଆଉ କେଉଁଠି ହେଭିୱେଟଙ୍କ ବେଟର୍-ହାଫ୍ । ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ଗତକାଲି ବିଜେଡିରେ ମିଶିଲେ, ଦଳରେ ମିଶୁ ମିଶୁ ମିଳିଲା ହାଇ-ପ୍ରୋଫାଇଲ୍ ସିଟ୍ ଭୁବନେଶ୍ବର ଲୋକସଭା ଟିକେଟ୍ । ସୁର ଏଥର ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିସାରିଥିବା ବେଳେ, ତାଙ୍କ ବ୍ୟକ୍ତିଗତ ଭୋଟ ବ୍ୟାଙ୍କକୁ ମନ୍ମଥ
ନୂଆ ଦଳ ଆଡ଼କୁ ଟାଣିବାକୁ ଭରପୁର ଚେଷ୍ଟା କରିବେ । ସେପଟେ କେନ୍ଦ୍ରାପଡ଼ାରୁ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ଏବଂ ଆସ୍କାରୁ ହରପ୍ରସାଦ ସାହୁଙ୍କ ଝିଅ ରଞ୍ଜିତା ସାହୁଙ୍କୁ ଲୋକସଭା ଯୋଦ୍ଧା କରିଛି ବିଜେଡି । ରାଜନଗରର ବହୁଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବଂଗତ ନଳିନୀ ମହାନ୍ତିଙ୍କ ଉତ୍ତରାଧିକାରୀ ଅଂଶୁମାନ କିଛି ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ । ସେପଟେ କବିସୂର୍ଯ୍ୟନଗର ବିଧାନସଭା ଟିକେଟ୍ ପାଇଁ ଏଥର ହର ସାହୁ ଖୁବ୍ ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା ଏବଂ ଜୋରଦାର ସଂଗଠନ ବି ଚଳାଇଥିଲେ। ତେଣୁ ବିଧାୟିତା ଲତିକା ପ୍ରଧାନଙ୍କ ପଥ ପରିଷ୍କାର କରିବାକୁ ହରଙ୍କ ଝିଅ ରଞ୍ଜିତାଙ୍କୁ ଆସ୍କାରୁ ସାଂସଦ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଲା ବୋଲି ମଧ୍ୟ କୁହାଯାଉଛି ।
ବିଜେଡିର ବିଧାୟକ ପ୍ରାର୍ଥୀଙ୍କୁ ଦେଖିଲେ, ଉତ୍ତରାଧିକାରୀଙ୍କ ଲମ୍ବା ତାଲିକା । ଯେଉଁମାନେ ପୂର୍ବରୁ ନିର୍ବାଚନ ଲଢ଼ିସାରିଛନ୍ତି ସେମାନଙ୍କ ସହ ଅନେକ ନୂଆ ଚେହେରା ଭାବେ ପୁରୁଖା ନେତାଙ୍କ ପୁଅ-ଝିଅଙ୍କୁ ବି ମୈଦାନକୁ ଉତାରିଛି ଦଳ । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଦିଗପହଣ୍ଡି ଟିକେଟ୍ ହେଉ, ଅବା ପୁରୀରୁ ମହେଶ୍ବର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି । ବାପାଙ୍କ ଅନ୍ତେ, ପୁଅଙ୍କୁ ସେମାନଙ୍କ ଲିଗାସି ଆଗକୁ ବଢ଼ାଇବାକୁ ସୁଯୋଗ ଦେଇଛନ୍ତି ନବୀନ। ପୂର୍ବତନ ମନ୍ତ୍ରୀ ତଥା ଚିକିଟି ରାଣୀ ଉଷା ଦେବୀଙ୍କ ବଦଳରେ ସେଠୁ ତାଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବଙ୍କୁ ଏଥର ପ୍ରୋଜେକ୍ଟ କରାଯାଇଛି ।
ସେପଟେ ପାଟକୁରାରେ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ଅରବିନ୍ଦ ମହାପାତ୍ର। ବାପା ବିଜୟ ମହାପାତ୍ର ପୁରୁଖା ବିଜେପି ନେତା ହୋଇଥିବା ବେଳେ, ଅରବିନ୍ଦ ବିଜେଡିରେ କିଛି ଦିନ ତଳେ ଯୋଗ ଦେଇଥିଲେ । କେବଳ ପୁଅ ଝିଅ ନୁହଁନ୍ତି, ବିଭିନ୍ନ ସିଟ୍ରେ ଏଥର ମିସେସ୍ ହେଭିୱେଟ ମାନଙ୍କୁ ବି ମୈଦାନକୁ ଉତାରିଛି ବିଜେଡି । ରାଜନୀତିରେ ବଂଶବାଦ କିଛି ନୂଆ କଥା ନୁହେଁ । ତେବେ ସମୟ ବଦଳିବା ସହ ଲୋକଙ୍କ ଚିନ୍ତାଧାରାରେ ବି ପରିବର୍ତ୍ତନ ଆସୁଥିବା ବେଳେ, ଲୋକେ ଉତ୍ତରାଧିକାରୀଙ୍କୁ ସେମାନଙ୍କ ବାପା ମାଆ ଓ ସ୍ବାମୀଙ୍କ ଭଳି ଗ୍ରହଣ କରୁଛନ୍ତି କି ନାହିଁ, ତା ଉପରେ ନଜର ।