ପୁଣି ଦାଦନ ଦେଲା ଦୁଃଖ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସବୁକିଛି ବଦଳିଲା, ସାଧାରଣ ନିର୍ବାଚନ ଯାଇ ପଞ୍ଚାୟତ ନିର୍ବାଚନ ଫେରିଲାଣି, ବିଜେଡି ଯାଇ ବିଜେପି ଆସି ସରକାର ଗଢିଲାଣି, କେନ୍ଦ୍ର ଏବଂ ରାଜ୍ୟ ସରକାର ସମାନ ଦଳ ରହି ଯଦି ଶାସନ ହେବ ତାହେଲେ କିଛି ନ ହେଲେ ନାହିଁ ଅନ୍ତତଃ ଓଡ଼ିଶାରୁ ସବୁଦିନ ପାଇଁ ଦାଦନ ସମସ୍ୟାଟା ଦୂର ହୋଇଯିବ l କିନ୍ତୁ ଆଶା, ଆଶାରେ ହିଁ ରହିଗଲା l ସରକାର ତ ବଦଳିଲେ, ରାଜ୍ୟ କେନ୍ଦ୍ର ସରକାର ସମାନ ଦଳ କଲେ କିନ୍ତୁ ଦୂର ହେଲାନାହିଁ ରାଜ୍ୟରୁ ସବୁଠାରୁ ବଡ଼ ସମସ୍ୟା ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବା l ଆଉ ଏହାର ଶିକାର ହେଉଛନ୍ତି ଗଞ୍ଜାମ ଜିଲ୍ଲାର ବାହାରେ ଦାଦନ ଖଟୁଥିବା ବ୍ୟକ୍ତି ମାନେ l ଯାଉଛନ୍ତି ତ ଦାଦନ ଖଟି କିନ୍ତୁ ଫେରୁଛନ୍ତି ଶବ ହୋଇ l

ପୁଣି ଥରେ ଏଭଳି ଛାତିଥରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଓଡ଼ିଆ ଯୁବକଙ୍କ ସୁରଟରେ ମୃତ୍ୟୁ l ଓଡ଼ିଶାରୁ ବିଶେଷ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅଧିକାଂଶ ଯୁବକଯୁବତୀ ମାନେ ପରିବାର ପ୍ରତିପୋଷଣ ପାଇଁ ନିଜ ଭିଟାମାଟି ଛାଡି ଦାଦନ ଖଟିବାକୁ ଭାରତର କୋଣଅନୁକୋଣରେ ଥିବା ଶିଳ୍ପୋନ୍ନତ ସହର ମାନଙ୍କୁ ଦାଦନ ଖଟିବାକୁ ଯାଆନ୍ତି l କିଏ ଅହମଦାବାଦ ତ କିଏ ସୁରଟ ଆଉ କିଏ ତାମିଲନାଡୁ ଓ ଚେନାଇ, କେରଳ ମଧ୍ୟ ଯାଇଥାନ୍ତି l ପେଟ ପାଇଁ ସବୁ କିଛି କରିବାକୁ ପଡ଼ିଥାଏ l ନିଜ ପରିବାରର ପେଟ ପାଟଣା ପାଇଁ ଯାନ୍ତି କିନ୍ତୁ ଦୁର୍ଭାଗ୍ୟ ବଶତଃ କିଛି ଓଡ଼ିଆ ଘରକୁ ମୃତ ଅବସ୍ଥାରେ ଫେରିଥାନ୍ତି l ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଚଢ଼ିଆପଲ୍ଲୀ ଗ୍ରାମ ଚାଞ୍ଚରା ସାହିର l

ଗ୍ରାମର ଦଣ୍ଡୁ ବେହେରାଙ୍କ ସାନପୁଅ ସନ୍ୟାସୀ ବେହେରା(୩୫)ଙ୍କ ମୃତ୍ୟୁ ଖବର ପୁଣି ଗ୍ରାମରେ ଆଲୋଡନ ସୃଷ୍ଟି କରିଛି l ସୁରଟ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l

ସୂଚନା ପ୍ରକାରେ ମୃତକ ଦୀର୍ଘ ୧୦ ବର୍ଷ ହେବ ଗୁଜୁରାଟ ସୁରଟର ଏକ ଘରୋଇ ସୂତାକଳରେ ଦିନମଜୁରିଆ ଭାବେ କାମ କରୁଥିଲେ l ଅଭାବ ଓ ଅନଟନକୁ ଦୂର କରିବା ପାଇଁ ସୁତା କଳ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବା ପାଇଁ ଯାଇଥିଲେ l ଏପଟେ ପରିବାରର ବାପା, ବଡ ଭାଇ, ମଝିଆ ଭାଇ, ସଙ୍ଗେ ଗୋଟିଏ ଛୋଟିଆ ପୁଅ (୬) ତାଙ୍କ ରୋଜଗାର ଉପରେ ନିର୍ଭର କରି ଚଳୁଥିଲେ l ତେବେ ଗତ ୧୩ ତାରିଖରେ ଟେଲିଫୋନ୍‌ ଯୋଗେ ସନ୍ୟାସୀ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଖବର ପାଇଥିଲେ l ସେପଟେ ରୋଜଗାରିଆ ମଣିଷର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ l ମୃତକଙ୍କ ପାଖରେ ଥିବା ଭଣଜା ଜିତେନ୍ଦ୍ରଙ୍କ କହିବା ପ୍ରକାରେ,ସନ୍ୟାସୀ ଜ୍ୱର ହେବା ପରେ ସେ କାମ କୁ ଯାଇ ପାରିନଥିଲେ I ଚିକିତ୍ସା ପାଇଁ ଘରୋଇ କ୍ଲିନିକ ପରେ ସୁରଥ ସ୍ଥିତ ଏକ ସରକାରୀ ହସ୍ପିଟାଲରେ ଭର୍ତି କରାଇଥିଲେ l ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ I ଆର୍ଥିକ ସ୍ଥିତି ଏତେ ଗମ୍ଭୀର ଥିଲା ଯେ,ଧାର କରଜ କରି ୫୦ ହଜାର ଟଙ୍କା ଯୋଗାଡ଼ କରି ନିଜମାମୁ ଶବକୁ ଚଢିଆପଲ୍ଲୀ ଆଣି ଥିଲେ I ସରକାର ପକ୍ଷରୁ କିଛି ଆର୍ଥିକ ସହଯୋଗ ସହ ନିଜ ୬ ବର୍ଷ କୁନି ପୁଅର ଭବିଷ୍ୟତକୁ ନେଇ ମୃତ ସନ୍ନ୍ୟାସୀଙ୍କ ପତ୍ନୀ ରିଙ୍କି ସରକାରଙ୍କ ପାଖରେ ଗୁହାରି ହୋଇଛନ୍ତି l

LEAVE A REPLY

Please enter your comment!
Please enter your name here