କୃଷିଭିତ୍ତିକ ପର୍ବ “ନଳ ଯାତ୍ରା” ଅନୁଷ୍ଠିତ

0

ବେଲଗୁଣ୍ଠା ( ବିପ୍ଲବୀ ପରିକ୍ରମା ):-– ଘୁମୁସର ର ପାରମ୍ପାରିକ କୃଷିଭିତ୍ତିକ ପର୍ବ “ନଳ ଯାତ୍ରା” । ଅତୀତରୁ ପାଳନ ହୋଇ ଆସୁଥିବା, ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ପାଲକଷଣ୍ଢା ଗାଁର ଏହା ହେଉଛି, ଗଣପର୍ବ । ଏଠି “ବାଉଁଶ” କୁ ଶକ୍ତିର ପ୍ରତୀକ, ଠାକୁରାଣୀ ଭାବେ ପୂଜା କରାଯାଏ । ଗାଁ ର ଠାକୁରାଣୀ ଷଣ୍ଢେଶ୍ବରୀ, ଦଳୁଆ ଓ କାଳୁଆ ଠାକୁରାଣୀଙ୍କ ନାମରେ ୩ ଟି ବଡ଼ ବାଉଁଶ କୁ ପୂଜା କରାଯାଏ । ତିନୋଟି ବଡ଼ ବଡ଼ ବାଉଁଶ କୁ ନୂଆଁ ଲୁଗା ଓ ଫୁଲରେ ସଜାଇ ଦିଆଯାଏ । ପାରମ୍ପରିକ ରୀତି ଅନୁସାରେ ପୂଜାର୍ଚ୍ଚନା କରାଯାଏ । ତିନିଜଣ ଭକ୍ତ ଅଣ୍ଟାରେ, ନଳ ବାଉଁଶ ଠାକୁରାଣୀ ଙ୍କୁ ଧରିଥାନ୍ତି । ଚାଙ୍ଗୁବାଦ୍ୟ ର ତାଳେ ତାଳେ ଶହଶହ ଭକ୍ତଙ୍କୁ ସାଥିରେ ନେଇ ଗାଁ ପରିକ୍ରମା କରନ୍ତି ।

ବିଶ୍ବାସ ରହିଛି, ଠାକୁରାଣୀଙ୍କ ପ୍ରତୀକ “ବାଉଁଶ” କୁ ପୂଜାକଲେ, ଭଲ ବର୍ଷା ସାଙ୍ଗକୁ, ଫସଲରେ ରୋଗ-ପୋକ ନିୟନ୍ତ୍ରଣ ଏବଂ ପ୍ରଚୁର ଫସଲ ଅମଳ ହୋଇଥାଏ । ଗୃହପାଳିତ ପଶୁଙ୍କ ସୁରକ୍ଷା ହେଇଥାଏ । ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ, ଅଞ୍ଚଳବାସୀ ଏବଂ ସମଗ୍ର ବିଶ୍ବ ବାସୀଙ୍କ ମଙ୍ଗଳ କାମନା କରିଥାନ୍ତି । ଏହି ଲକ୍ଷ୍ୟ ନେଇ, ପାଲକଷଣ୍ଢା ଗ୍ରାମବାସୀ କେଉଁ ଆବହମାନ କାଳରୁ ପାଳନ କରି ଆସୁଛନ୍ତି ଏହି “ନଳ ବାଉଁଶ” ଯାତ୍ରା । ଗାଁ କାର୍ଜୀ, କରଣ , ନାଇକ ଓ ସେବାୟତଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ପର୍ବକୁ, ପୀଢ଼ି ପରେ ପୀଢ଼ି ପାଳନ କରି ଆସୁଛନ୍ତି । ପ୍ରତ୍ୟେକ ବର୍ଷ ଭାଦ୍ରବ ମାସରେ ଜନ୍ମାଷ୍ଟମୀ ପରେ ପରେ, ସୋମବାର ଦିନ ଆୟୋଜିତ ହୁଏ ନଳ ବାଉଁଶ ଯାତ୍ରା । ଗାଁର ସମସ୍ତ ଜନସାଧାରଣଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏକାଠି ହୁଅନ୍ତି । ବିଶେଷ କରି ଏହି ଯାତ୍ରା ଆୟୋଜନ ଦ୍ବାରା ଗାଁ ରେ ଭାଇଚାରା ସୃଷ୍ଟି ହୋଇଥାଏ, ମାନ ଅଭିମାନ ଭୁଲି ସମସ୍ତେ ଏକାଠି ହୁଅନ୍ତି, ଏହାସହ ପ୍ରକୃତି ଓ ପରିବେଶକୁ ପୂଜା କରିବାର, ନିଆରା ପରମ୍ପରା ଦେଖିବାକୁ ମିଳେ ଏହି “ନଳ ବାଉଁଶ” ଯାତ୍ରାରେ ।

LEAVE A REPLY

Please enter your comment!
Please enter your name here