ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସ୍ବାଧୀନତା ସଂଗ୍ରାମୀଙ୍କ ମାସିକ ଭତ୍ତାକୁ ଦୁଇଗୁଣ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସେହିପରି 1975 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀକାଳୀନ ସ୍ଥିତିରେ ‘ଆଭ୍ୟନ୍ତରୀଣ ସୁରକ୍ଷା ଅଧିନିୟମ’ (MISA)ରେ ଗିରଫ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସଂଗ୍ରାମୀର ମାନ୍ୟତା ଦେବା ସହ ସେମାନଙ୍କୁ ସ୍ବାଧୀନତା ସଂଗ୍ରାମୀଙ୍କ ପରି ମାସିକ 20 ହଜାର ଭତ୍ତା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ଭୁବନେଶ୍ବରରେ ଆୟୋଜିତ ୩୮ତମ ‘ସ୍ବାଧିନତା ସଂଗ୍ରାମୀ ଦିବସ ମହୋତ୍ସବ’ରେ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବଡ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ମଞ୍ଚରୁ ଅଭିଭାଷଣ ମାଧ୍ୟମରେ ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସଂଗ୍ରାମୀମାନଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କାରାବରଣ କରିଥିବା ସବୁ ସ୍ଵାଧୀନତା ସଂଗ୍ରାମୀଙ୍କର ପେନସନକୁ 10 ହଜାରରୁ 20 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । କାରାବରଣ କରିନଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନକୁ 9 ହଜାରରୁ 15 ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର ।
ସେହିପରି ଜାତୀୟ ପେନସନ ପାଉଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନକୁ ମାସକୁ 8 ହଜାର ପରିବର୍ତ୍ତେ 10 ହଜାର ଟଙ୍କା କରିଛନ୍ତି ସରକାର । ଜରୁରୀକାଳୀନ ସ୍ଥିତିରେ ଆଭ୍ୟନ୍ତରୀଣ ସୁରକ୍ଷା ଅଧିନିୟମ (MISA)ରେ ଗିରଫ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସଂଗ୍ରାମୀର ମାନ୍ୟତା ଦେବା ସହ ସେମାନଙ୍କୁ ମଧ୍ୟ ମାସିକ 20ହଜାର ଟଙ୍କାର ଭତ୍ତା ପ୍ରଦାନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ସ୍ବାଧୀନତା ସଂଗ୍ରାମୀ ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସ୍ଵାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟର ଅଧ୍ୟକ୍ଷ କଟକ ସାଂସଦ ଭର୍ତୃହରି ମହତାବ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, ଏକାମ୍ର ଭୁବନେଶ୍ଵର ବିଧାୟକ ବାବୁ ସିଂ ପ୍ରମୁଖ ଯୋଗ ଦେଇଥିଲେ ।