ହାଇଦ୍ରାବାଦ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ହାଇଦ୍ରାବାଦର ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରେ ଅପ୍ରତ୍ୟାଶିତ ଭାବେ ଗୋଟିଏ ରାତି କାଟିବା ପରେ ଶନିବାର ନିଜ ବାସଭବନରେ ଧନ୍ୟବାଦ ମୁଦ୍ରାରେ ସମସ୍ତଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇଛନ୍ତି ସାଉଥ ସେନସେସନ୍ ଅଲ୍ଲୁ ଅର୍ଜୁନ । ପୁଷ୍ପା ଟୁ ପ୍ରିମିୟର ସୋ ଦଳଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ତେଲେଙ୍ଗାନା ହାଇକୋର୍ଟରୁ ୪ ସପ୍ତାହର ମଧ୍ୟବର୍ତ୍ତୀକାଳୀନ ଜାମିନ ପରେ ଘରକୁ ଫେରିଛନ୍ତି ଅଲ୍ଲୁ । ଶନିବାର ସକାଳ ପ୍ରାୟ ୬ଟା ୨୦ରେ ଚଞ୍ଚଲଗୁଡ଼ା ଜେଲରୁ ବାହାରିଥିଲା ଅଲ୍ଲୁଙ୍କ ଗାଡ଼ି ।
ପ୍ରଥମେ ପ୍ରଡକ୍ସନ୍ ହାଉସ୍ ଗୀତା ଆର୍ଟସ ଓ ପରେ ତାଙ୍କ ଜୁବୁଲିହିଲସ ସ୍ଥିତ ଘରେ ପହଞ୍ଚିବା ବେଳକୁ ଅଲ୍ଲୁଙ୍କୁ ଅପେକ୍ଷା କରି ରହିଥିଲା ଶୁଭେଚ୍ଛୁ ଓ ସମର୍ଥକଙ୍କ ଜନସମୁଦ୍ର । ଏପଟେ ତାଙ୍କ ଫେରିବା ବାଟକୁ ଚାତକ ଭଳି ଚାହିଁ ରହିଥିଲେ ପରିବାର ଓ ସମ୍ପର୍କୀୟ । ଏହାରି ଭିତରେ ଅଲ୍ଲୁ କାରରୁ ଓହ୍ଲାଇ ବାସଭବନକୁ ପ୍ରବେଶ ବେଳେ ସୃଷ୍ଟି ହୋଇଥିଲା ଅତ୍ୟନ୍ତ ଭାବବିହ୍ବଳ ପରିସ୍ଥିତି। ପ୍ରଥମେ ପତ୍ନୀ, ପରେ ଦୁଇ ପିଲା ଓ ତା ପରେ ବାପା, ମାଆ ଏବଂ ଅନ୍ୟ ସମ୍ପର୍କୀୟଙ୍କୁ ଦୃଢ଼ ଆଲିଙ୍ଗନ କରିଥିଲେ ଅଲ୍ଲୁ। ଲାଗୁଥିଲା ଯେମିତି ଅନେକ ବର୍ଷର ବ୍ୟବଧାନ ପରେ ଘର ବାହୁଡ଼ା ହୋଇଛନ୍ତି ଅଲ୍ଲୁ ଅର୍ଜୁନ୍। ପରେ ଉପସ୍ଥିତ ଗଣମାଧମ୍ୟମକୁ ଅପେକ୍ଷା କରିବାର ଇସାରା ଦେଇ ଭିତରକୁ ପ୍ରବେଶ କରିଥିଲେ। କିଛି ସମୟ ପରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଥିଲେ ପୁଷ୍ପା ଷ୍ଟାର । କହିଥିଲେ ଡିସେମ୍ବର ୪ରେ ଘଟିଥିବା ସଂଧ୍ୟା ଥିଏଟରର ଅଘଟଣ ଅପ୍ରତ୍ୟାଶିତ। ମୃତ ମହିଳାଙ୍କ ପରିବାର ପ୍ରତି ତାଙ୍କ ଗଭୀର ସମବେଦନା ରହିଛି। ଆଉ ସେ ଆଇନକୁ ସମ୍ମାନ ଦେଉଥିବା ଜଣେ ନାଗରିକ ଭାବେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ।