ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ବେଳେ ସରକାରଙ୍କ ଦୃଷ୍ଟି ଆଡୁଆଳରେ ବାରୁସିଂ ଗ୍ରାମ। ଗାଁକୁ ପକ୍କା ରାସ୍ତା ନଥିବାରୁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ ତେଣୁ ଶବକୁ ୯ କି.ମି କାନ୍ଧରେ ବୋହି ନେଲେ ଗ୍ରାମବାସୀ। ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ପଞ୍ଚାୟତ ବାରୁସିଂ ଗ୍ରାମରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନାନୁସାରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ପଞ୍ଚାୟତ ଅଧିନସ୍ଥ ବାରୁସିଂ ଗ୍ରାମର ରାଜେଶ ରଈତ (୨୫)ଙ୍କ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।
ରବିବାର ରାଜେଶଙ୍କ ଅକାଳ ମୃତ୍ୟୁ ହୋଇଥିଲା, ତାଙ୍କ ପରିବାର କହିଲେ ସ୍ତ୍ରୀ ସେବତୀ ରଈତ ଏବଂ ୮ମାସର ଛୁଆ ଥିବା ଜଣାପଡ଼ିଛି। ରାଜେଶଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ହାଇଦ୍ରାବାଦ ଠାରୁ ଗାଁକୁ ଅଣାଯାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଗାଁକୁ ରାସ୍ତା ନଥିବାରୁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ।ଯାହା ଫଳରେ ୯କିମି ଦୂରରେ ଅଟକି ରହିଲା ଶବ। ଶେଷରେ ଗ୍ରାମବାସୀ କାନ୍ଧରେ ଭାର କରି ମୃତଦେହକୁ ପାହାଡ଼ ଓ ଘଞ୍ଚ ଜଙ୍ଗଲ ଦେଇ ଦୀର୍ଘ ୯ କିମି ରାସ୍ତା ଅତିକ୍ରମ କରି ଗାଁକୁ ନେଇଥିଲେ। ପକ୍କା ରାସ୍ତା ଖଣ୍ଡେ ପାଇଁ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ବିଭିନ୍ନ ଜନ ଅଭିଯୋଗ ଶୁଣାଣୀରେ ବାରୁସିଂ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀ କର୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଦିସ ରଈତ,ଏବି ରଈତ,ଏଜିକେଲ ରଈତ,ବିଶ୍ୱନାଥ ରଈତ,ପ୍ରେମାନନ୍ଦ ରଈତ,ଏସକିନ ରଈତ ଓ ସମିତି ସଭ୍ୟ ବୁଲୁ ରଈତ।
ତେବେ ଖବର ଜାଣିବା ପରେ ପାରଳା ବିଧାୟକ ଈ.ରୂପେଶ କୁମାର ପାଣିଗ୍ରାହୀ ଦୁଃଖ ପ୍ରକାଶ କରିବା ସହ ବାରୁସିଂ ଗ୍ରାମର ରାସ୍ତା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି l