ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟର ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ଉଦ୍ଦେଶ୍ୟରେ ‘ସୁଭଦ୍ରା’ର ଗାଇଡଲାଇନରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ରାସନକାର୍ଡ ଡାଟାବେସରେ ନିଶ୍ଚିତ ନାମ ଥିବାର ମାନଦଣ୍ଡକୁ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ଖାରଜ ହୋଇଥିବା ୨ଲକ୍ଷ ୬୭ହଜାର ଆବେଦନର ପୁନଃବିଚାର କରିବା ସରକାରଙ୍କ ପକ୍ଷେ ସମ୍ଭବପର ହୋଇପାରିବ ।ବର୍ତ୍ତମାନ ସୁଦ୍ଧା ୧ କୋଟି ୨ ଲକ୍ଷ ମହିଳା ପଞ୍ଜିକୃତ କରିସାରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ମହିଳାଙ୍କୁ ମିଳିଛି ସୁଭଦ୍ରା ଟଙ୍କା । ସବୁଠୁ ବଡ କଥାହେଉଛି, ୨ ଲକ୍ଷ ୬୭ହଜାର ମହିଳାଙ୍କ ଆବେଦନକୁ ଖାରଜ କରାଯାଇଛି । ସିଧାସଳଖ କହିବାକୁ ଗଲେ ଏମାନେ ସୁଭଦ୍ରା ଯୋଜନାରୁ ବାଦ ପଡିଛନ୍ତି । ଏମାନେ ନିୟମ ଅନୁଯାୟୀ କଟିଲେ ନା ସେମାନଙ୍କ ନାଁକୁ କାଟିଦିଆଗଲା ସେ ନେଇ ଚର୍ଚ୍ଚା ଜାରିରହିଥିବାବେଳେ ସରକାର ଆଜି ନୂଆ ଆଶା ଦେଖାଇଛନ୍ତି । କ୍ୟାବିନେଟ ବୈଠକରେ ଆବେଦନ ପୁନଃବିଚାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।୨୦୨୪ ସେପ୍ଟେମ୍ବର ୮ରୁ ୧୩ତାରିଖ ପର୍ଯ୍ୟନ୍ତ ‘ଆଧାର’ ଇ-କେୱାଇସି ମଡ୍ୟୁଲରୁ ସୁଭଦ୍ରା ପୋର୍ଟାଲକୁ ଅଲଗା କରି ରାସନକାର୍ଡ ଡାଟାବେସ ମାଧ୍ୟମରେ ଇ-କେୱାଇସି ଯାଂଚ କରାଯାଇଥିଲା । ଏବେ ହିତାଧିକାରୀ ଚୟନ ପାଇଁ ‘ଆଧାର’ ଇ-କେୱାଇସି ମଡ୍ୟୁଲକୁ ସରକାର ବ୍ୟବହାର କରିବେ । ଏହି ବୈଷୟିକ କାରଣ ପାଇଁ ଖାରଜ ହୋଇଥିବା ୨.୬୭ଲକ୍ଷ ଆବେଦନକାରୀଙ୍କ ଆବେଦନର ପରୀକ୍ଷାନିରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ ।ବାଦ ପଡିଥିବା ସୁଭଦ୍ରା ଆବେଦନକାରୀଙ୍କୁ ଏହି ନିଷ୍ପତ୍ତି ଆଶ୍ବସ୍ତି ଦେଇଛି । ସେପଟେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଖୁବଶୀଘ୍ର ପ୍ରଦାନ ପାଇଁ ବିଚାର କରୁଛନ୍ତି ସରକାର ।