ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେପି ଫୋକସରେ ଓଡ଼ିଶା। ଆସନ୍ତା ୨୫ରେ ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୪ଟି ସ୍ଥାନରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ଶାହ । ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ଆୟୋଜିତ ଜନସଭାରେ ଯୋଗଦେବେ ଗୃହମନ୍ତ୍ରୀ ଅମିତ ଶାହ । ତେବେ ଗତକାଲି ଓଡ଼ିଶା ଗସ୍ତରେ ଆସି ୪ଟି ସ୍ଥାନରେ ପ୍ରଚାର କରିଥିଲେ ଶାହ । ଏକା ଦିନରେ ଚାରି ଚାରିଟି ନିର୍ବାଚନୀ ସଭା କରି ବିଜେପି ପାଇଁ ଭୋଟ୍ ମାଗିଲେ, ନବୀନ ସରକାର ଉପରେ ପ୍ରଚଣ୍ଡ ହମଲା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ।ଏଥିସହ ପ୍ରାୟ ସବୁ ସ୍ଥାନରେ ଏକାଧିକ ବାର ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଖାରି, ବିଜେପି ସରକାର ଆସିଲେ ରତ୍ନଭଣ୍ଡାରର ଖୁଲାସା ହେବ, ରତ୍ନଭଣ୍ଡାର ରିପୋର୍ଟ ସାର୍ବଜନୀନ ହେବ, ୪ ଦ୍ୱାର ଖୋଲିବ, ରତ୍ନଭଣ୍ଡାର ଲୁଟେରାଙ୍କ ପ୍ରତି ଦଣ୍ଡବିଧାନର ପ୍ରତିଶ୍ରୁତି ଦେଇଥିଲେ ଶାହ। ଅନ୍ୟପଟେ ଗତ ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ଧୁଆଁଧାର ପ୍ରଚାର କରିଥଲେ ପ୍ରଧାନମନ୍ତ୍ରୀ । ରାଜ୍ୟର ଧର୍ମନଗରୀ ପୁରୀରେ ରୋଡ ସୋ କରିବା ସହ ଅନୁୁଗୁଳ ଓ କଟକରେ ବିଜୟ ସଂକଳ୍ପ ସମାବେଶ କରି ଭୋଟ ମାଗିଥିଲେ । ଏବେ ତୃତୀୟ ପର୍ଯ୍ୟାୟ ଭୋଟ ମେ ୨୫ ତାରିଖରେ । ସେହିଦିନ ବିଜେପି ଚାଣକ୍ୟ ଅମିତ ଶାହା ବାରିପଦା, ଚାନ୍ଦବାଲି, କୋେଇଇ, ଜଗତସିଂହପୁର, ନିମାପଡାରେ ପ୍ରଚାରକ କରିବା କାର୍ଯ୍ୟସୂଚୀ ସ୍ଥିର ହୋଇଛି ।ଭୋଟ ଦିନ ବିଜେପି ବଡ ନେତାଙ୍କୁ ଆଣି ପ୍ରଚାର କରିବାକୁ କାହିଁକି ଗୁରୁତ୍ୱ ଦେଉଛି ? ଏହା ପଛର କାରଣ କଣ ? ଗୋଟିଏ ପଟେ ମତଦାନ ଚାଲିଥିବା ବେଳେ ଅନ୍ୟପଟେ ପ୍ରଚାର କାର୍ଯ୍ୟକ୍ରମ ଭୋଟରଙ୍କୁ ପ୍ରଭାବିତ କରିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।