ବିକ୍ଳଵୀ ପରିକ୍ରମା ବ୍ୟୁରୋ :- କଡ଼ା ସୁରକ୍ଷା ବଳୟକୁ ବେଖାତିର, ସଂସଦ ଭିତରେ ପଶି ଦୁଇ ଯୁବକଙ୍କ ଆତଙ୍କରାଜ୍।ଲୋକସଭା ଅଧିବେଶନ ଚାଲିଥିବା ବେଳେ ଘଟିଲା ଅଭାବନୀୟ ଘଟଣା । ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଦେଖାଦେଇଛି । ଲୋକସଭାରେ ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଅଜ୍ଞାତ ଯୁବକ । ସ୍ମୋକ୍ ସ୍ପ୍ରେ କରି ସୃଷ୍ଟି କରିଥିଲେ ଭୟର ବାତାବରଣ। ସେମାନଙ୍କ ସହ ବାହାରେ ହଙ୍ଗାମା କରୁଥିବା ଦୁଇଜଣଙ୍କୁ କାବୁ କରି ଖୋଳତାଡ଼ କରୁଛି ଦିଲ୍ଲୀ ପୋଲିସ୍। ଆତଙ୍କ ସୃଷ୍ଟିକାରୀ ଯୁବକ ଦ୍ୱୟ ସାଂସଦ ଭିଜିଟର୍ସ ପାସରେ ଆସିଥିବାରୁ ଆଜିଠୁ ଏଭଳି ପାସକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବ୍ୟାନ୍ କରିଛନ୍ତି ବାଚସ୍ପତି।ଗଣତନ୍ତ୍ରର ଲୋକସଭାର ଶୂନ୍ୟକାଳ ଚାଲିଥିଲା, ହଠାତ୍ ଦର୍ଶକ ଗ୍ୟାଲେରୀରୁ ଝପଟି ଆସିଥିଲେ ଦୁଇ ଅଜ୍ଞାତ ଯୁବକ। ସାଂସଦମାନେ ବସୁଥିବା ବେଞ୍ଚରୁ ବେଞ୍ଚ ଉପରେ ଡେଇଁ ଆତଙ୍କ ଖେଳାଇଥିଲେ। କାବୁ କରିବାକୁ ସୁରକ୍ଷାକର୍ମୀ ଓ ସାସଂଦ ସେମାନଙ୍କୁ ଗୋଡେଇ ଥିଲେ। ହେଲେ ସହଜେ ଧରା ଦେଇନଥିଲେ । ଜଣେ ଯୁବକ ହଠାତ୍ ନିଜ ଜୋତା ଭିତରୁ ଏକ ହଳଦିଆ ରଙ୍ଗର ସ୍ମୋକ୍ ଟ୍ୟୁବ୍ ବାହାର କରି ସ୍ପ୍ରେ କରିଥିଲା। ଘଟଣା ଭୟର ବାତାବରଣ ସୃଷ୍ଟି କରିଥିଲା। ଏହାପରେ ଗୃହକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ଏଣେ ସଂସଦ ବାହାରେ ବି ଭାରତମାତା ଓ ଜୟ ଭୀମ ନାରା ଦେଉଥିବା ଜଣେ ମହିଳାଙ୍କ ସହ ଅନ୍ୟ ଜଣେ ଯୁବକକୁ କାବୁ କରିଥିଲେ ସୁରକ୍ଷାକର୍ମୀ। ପରେ ସମସ୍ତ ୪ ଜଣଙ୍କୁ ପ୍ରଥମେ ସଂସଦ ମାର୍ଗ ପୋଲିସ ଷ୍ଟେସନ ନିଆଯାଇଥିଲା, ଏଠି ପ୍ରଶ୍ନ,ଲୋକସଭା ଭିତରେ ଆତଙ୍କ ସୃଷ୍ଟିକାରୀ ଯୁବକ ଦ୍ୱୟ କିଏ ? କେମିତି ସେମାନେ ସଂସଦ ଭିତରକୁ ଆସିଲେ ? କ’ଣ ସେମାନଙ୍କ ଉଦ୍ଦେଶ୍ୟ ଥିଲା ?
ସୂଚନା ଅନୁସାରେ ଯେଉଁ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ସେମାନେ ହେଲେ ସାଗର ମନୋରଂଜନ, ନୀଲମ ଓ ଅନମୋଲ । ସଂସଦ ଭିତରେ ପ୍ରବେଶ କରି କଲର ସ୍ମୋକ ବମ ଫିଙ୍ଗିଥିଲେ ସାଗର ଶର୍ମା ଓ ମନୋରଂଜନ । ସଂସଦ ବାହାରେ ନିଲମ ଓ ଅନମୋଲ କଲର ସ୍ମୋକ ବୋମା ଫିଙ୍ଗୁଥିବାବେଳେ ସେମାନଙ୍କ ଧରିଥିଲେ ସୁରକ୍ଷାକର୍ମୀ ।ପୁଲିସର ସୂଚନା ଅନୁସାରେ ସାଗର ଓ ମନୋରଂଜନର ବନ୍ଧୁତା ଫେସବୁକରେ ହୋଇଥିଲା । ପରେ ହରିଆଣାର ନୀଲମ ଓ ମହାରାଷ୍ଟ୍ରର ଅନମୋଲ ସହ ସର୍ମ୍ପକରେ ଆସିଥିଲେ ।ସୋସିଆଲ୍ ମିଡିଆ ଜରିଆରେ ଏମାନେ ବନ୍ଧୁ ହୋଇଥିଲେ। ନିର୍ଦ୍ଦିଷ୍ଟ କୌଣସି ଦାବି ନେଇ ଏଭଳି ଆଚରଣ ପ୍ରଦର୍ଶନ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ହେଲେ କୌଣସି ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତି ଅଛି କି ନାହଁ ? ତା’ର ଖୋଳତାଡ଼ ଦିଲ୍ଲୀ ଏଟିଏସକୁ ଦିଆଯାଇଛି।