ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଧରଶାୟୀ ହୋଇଛି । ଭାଙ୍ଗିଛି ଦୀର୍ଘ ୨୪ ବର୍ଷର ସରକାର । ତେବେ ଏହା ଭିତରେ ଗତକାଲି ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ । ତେବେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।ତେବେ ଅରୁଣ ନବୀନଙ୍କ ଉତ୍ତରାଧିକାରୀ ହୋଇ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ପରାଜୟର ସାନ୍ତ୍ୱନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।
ସୂଚନାଯୋଗ୍ୟ, ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ । ସେ ଗତକାଲି ଦିଲ୍ଲୀରୁ ପାଣ୍ଡିଆନଙ୍କ ସହ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଉଭୟଙ୍କୁ ବିମାନ ବନ୍ଦରରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ସ୍ବାଗତ କରିଥିଲେ । ଏହାପରେ ସମସ୍ତେ ନବୀନ ନିବାସ ଯାଇଥିଲେ । ନବୀନ ନିବାସରେ ନବୀନଙ୍କ ସହ ଅରୁଣ ରହିଥିବା ଜଣାପଡ଼ିଛି ।ତେବେ ନିର୍ବାଚନ ପୂର୍ବରୁ ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହେଁ ବୋଲି ନବୀନ କହିସାରିଥିବାବେଳେ ଏବେ ଅରୁଣଙ୍କୁ ଆଣି ବିଜେଡି ପକ୍ଷରୁ ଦଳକୁ ବଞ୍ଚାଇବାର ପ୍ରୟାସ ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ହେଉଛି ।