ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଆଜିଠାରୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ପ୍ରଥମ ତଥା ବଜେଟ ଅଧିବେଶନ। ବିଭିନ୍ନ ଦୃଷ୍ଟିକୋଣରୁ ଅଧିବେଶନଟି ବେଶ୍ ଗୁରୁତ୍ୱ ବହନ କରୁଥିବା ବେଳେ ଉଭୟ ଶାସକ ଓ ବିରୋଧୀ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ବିଜେପି ପ୍ରଥମଥର ରାଜ୍ୟରେ ସରକାର ଗଠନ କରିଥିବା ବେଳେ ୨୪ ବର୍ଷର ଲମ୍ବା ଶାସନ ପରେ ବିଜେଡି ପ୍ରଥମଥର ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଭାବେ ଅବତ୍ତୀର୍ଣ୍ଣ ହୋଇଛି। ଅତଏବ ଗୃହରେ ଏଥର ଭିନ୍ନ ଓ ରୋଚକ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। କଂଗ୍ରେସ ମଧ୍ୟ ବିଧାନସଭାରେ ନିଜର ୧୪ ବିଧାୟକଙ୍କ ସହ ନୂଆ ସରକାରଙ୍କୁ ଘେରିବାକୁ ପୂରା ଉଦ୍ୟମ କରିବ। ମୋଟାମୋଟି ଭାବେ ଚଳିତ ବିଧାନସଭା ଅଧିବେଶନରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି।
ପ୍ରଥମ ଦିନ ପୂର୍ବାହ୍ନ ୧୧ଟା ବେଳେ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ସହ ବିଧିବଦ୍ଧ ଭାବେ ବଜେଟ ଅଧିବେଶନ ଆରମ୍ଭ ହେବ। ଏହାପରେ ଗୃହରେ ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ରଖାଯିବ। ଏପଟେ ଉଭୟ ବିଜେପି ଓ ବିଜେଡି ବିଧାୟକ ଦଳ ବୈଠକରେ ବିଧାନସଭା ରଣନୀତି ପ୍ରସ୍ତୁତ କରିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦଳ ରାଜ୍ୟରେ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ରଥଯାତ୍ରା ବିଭ୍ରାଟ, ଏଏସଓଙ୍କୁ ମାଡ, ଏମ୍ଏସ୍ପି, ବିଜୁଙ୍କ ନାମ ହଟାଇବା ପ୍ରସଙ୍ଗ ଆଦିକୁ ନେଇ ସରକାରଙ୍କୁ ଘେରିବାକୁ ନିଷ୍ପତ୍ତି ନେଇଛି।