ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜିଠାରୁ ଆରମ୍ଭ ହେଉଛି ଶୀତ ଅଧିବେଶନ l ମଙ୍ଗଳବାର ଠାରୁ ହେବାକୁ ଥିବା ଶୀତ ଅଧିବେଶନରେ ଗୃହ ଦୁଲୁକିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବିରୋଧୀଙ୍କ ଆକ୍ରମଣର ନେତୃତ୍ୱ । ସରକାରଙ୍କୁ ଘାଣ୍ଟିବାକୁ ପୂରା ଯୋଜନା ପ୍ରସ୍ତୁତ ସରିଛି । ମୁଖ୍ୟ ପ୍ରସଙ୍ଗ ଆଇନଶୃଙ୍ଖଳା ଓ ଆମ୍ବ ଟାକୁଆକୁ ଧରି ଆଗକୁ ବଢ଼ିବ ବିଜେଡି । କଂଗ୍ରେସ ଏଥର ତାର ସ୍ୱରକୁ ବିଜେଡି ସହ ମିଶାଇ ଶାଣିତ କରିବେ ବୋଲି ବି ଜଣାପଡ଼ିଛି । ପୂର୍ବଥର ଭଳି ଏଥର ବି କଂଗ୍ରେସ ବିଜେଡିର ‘ବି’ ଟିମ ହୋଇ ଗୃହରେ ସରକାରଙ୍କୁ ଘେରିବ । ଏପରି କିଛି ଯୋଜନା କରି ବିରୋଧୀ ପ୍ରସ୍ତୁତ ହୋଇଥିବା ବେଳେ ମୁକାବିଲା ପାଇଁ ସରକାର ବି ଅଣ୍ଟାରେ ଲୁଗାଭିଡ଼ିଲେଣି । ସରକାରୀ ଦଳ ହାତରେ ଏଥର ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ପ୍ରସଙ୍ଗ ରହିଛି । ଏହାବ୍ୟତୀତ ବିଜେଡି କରିଥିବା କେଳେଙ୍କାରୀକୁ ବି ସାମ୍ନାକୁ ଆଣିବାକୁ ତାଲିକା ହୋଇଛି ।
ବିଜେଡି ହାତରେ ଭଲ ଅସ୍ତ୍ର ବି ରହିଛି । ପ୍ରଥମ ଆମ୍ବ ଟାକୁଆ ଖାଇ ଲୋକଙ୍କ ପ୍ରାଣ ହରାଇବା ଘଟଣାକୁ ଏଥର ପୂରା ଜୋରରେ ଉଠାଇବ ବିଜେଡି । ତାକୁ ସାଥ ବି ଦେବ କଂଗ୍ରେସ । ସେହି ଗୋଟିଏ ପ୍ରସଙ୍ଗ ହିଁ ଗୃହକୁ ଥରହର କରିବ । ସେଥିରେ ସରକାର ଜବାବ ଦେଲେ ବା ବିରୋଧୀଙ୍କ ସେଟିଂ କଲେ ଦିନେ ଦୁଇଦିନରେ ଆଇନଶୃଙ୍ଖଳା ସ୍ତିତି ନେଇ ତାତିବେ ବିରୋଧୀ । ବିଧାୟକଙ୍କୁ ମାଡ଼ ଘଟଣାକୁ ଓଲଟାଇ ସରକାରଙ୍କ ଉପରେ ପକାଇବାକୁ ବିରୋଧୀ ଜାଲ ପ୍ରସ୍ତୁତ କରିଛନ୍ତି । ସେହି ଘଟଣାରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି କେତେ ତଳକୁ ଯାଇଛି ବୋଲି ଦର୍ଶାଇବେ । ଏହାବ୍ୟତୀତ ଦୁଷ୍କର୍ମ ମାମଲା ବଢ଼ିବା ଆଉ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ନମିଳିବା, ଭତ୍ତା ସାଢ଼େ ୩ହଜାର ନହେବା ଭଳି ପ୍ରସଙ୍ଗ ପଛକୁ ପଛ ଆଣିବ ବିରୋଧୀ ।
ଏହାକୁ ମୁକାବିଲା କରିବା ପାଇଁ ସରକାର କାଳେ ପ୍ରସ୍ତୁତ । ସବୁ ସ୍ଥିତି ପୂର୍ବ ସରକାର ସମୟରୁ ଚାଲି ଆସିଛି ବୋଲି ଦର୍ଶାଇବେ । କେବଳ ସେତିକି ନୁହେଁ, ବିଜେଡି ସମୟର ଦୁର୍ନୀତିକୁ ଆଣି ଗୃହରେ ଥୋଇବାକୁ ଯୋଜନା କରାଯାଇଛି । ଏପରି ପ୍ରସ୍ତୁତି ସରକାର କରିଛନ୍ତି । ବିରୋଧୀ ଓ ସରକାର ମଧ୍ୟରେ ଲଢ଼ାଲଢ଼ି ହେବ । ସେଟିଂ ହେଲେ ଗୃହତ୍ୟାଗ ନହେଲେ ଗୃହ ଅଚଳ ।