କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଖଣି ଅଞ୍ଚଳରୁ ବିଭିନ୍ନ ଉପାୟରେ ଚାଲିଛି ଲୁହା ପଥର ଚୋରା ଚାଲାଣ। କେବେ ଧରା ପଡୁଛି ତ କେବେ ପଡୁନାହିଁ। କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଏମିତି ଚୋରା ଲୁହା ପଥର ବୋଝେଇ ଏକ ହାଇୱା ଜବତ୍ କରିବା ସହ ୨ ଜଣକୁ ଗିରଫ କରିଛି।
ସୂଚନା ମୁତାବକ କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ଗ୍ରେୱାଲ ମାଇନ୍ସରୁ ବଡବିଲ ଜଗନ୍ନାଥ ଷ୍ଟିଲକୁ ଲୁହା ପଥର ଲୋଡ ନେଇ ଆସିଥିବା OD09-P-0947 ନମ୍ବର ବିଶିଷ୍ଟ ଏକ ହାଇୱା ଜଗନ୍ନାଥ ଷ୍ଟିଲ ପ୍ଲାଣ୍ଟରେ ମାଲ ଖାଲି ନ କରି ଅନ୍ୟତ୍ର ବିକ୍ରି କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ କଲେଜ ପାର୍କିଂ ନିକଟରୁ ଉକ୍ତ ହାଇୱାକୁ ଜବତ କରିବା ସହ ଗାଡି ମାଲିକ ଅନିଲ ମହାକୁଡ ଓ ଡ୍ରାଇଭର ଏମ.ଡି. ଦିଲାୱର୍ ୨ ଜଣକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।
ପୋଲିସ ଠାରୁ ମିଳିଥିବା ସୂଚନାନୁସାରେ ଏହି ହାଇୱା ଜଗନ୍ନାଥ ଷ୍ଟିଲ ପ୍ଲାଣ୍ଟରେ ମାଲ୍ ଖାଲି କରି ନ ଥିଲା କିନ୍ତୁ ସେଠାରେ ଲୋଡ୍ ଚାଲାନ୍ ରିଶିଭ୍ କରାଇ ଅନ୍ୟତ୍ର ବିକ୍ରି କରିବାକୁ ଚେଷ୍ଟା କରୁଥିଲା। ତେଣୁ ଏହି ଲୁହା ପଥର ଚୋରା ଚାଲାଣ ଘଟଣାରେ ଦାୟିତ୍ୱରେ ଥିବା ଜଗନ୍ନାଥ ଷ୍ଟିଲ କର୍ମଚାରୀ, ସୁରକ୍ଷା ଗାର୍ଡଙ୍କ ସଂପୃକ୍ତି ଥିବା ସନ୍ଦେହ କରା ଯାଉଛି। ମାତ୍ର କେବଳ ଗାଡି ମାଲିକ ଓ ଡ୍ରାଇଭର ଗିରଫ ହୋଇଥିବା ବେଳେ ଅନ୍ୟ କାହାରିକୁ ଗିରଫ କରା ଯାଇନାହିଁ। ଯାହା ଉପରେ ତଦନ୍ତ ଜାରି ରଖିଥିବା ବଡ଼ବିଲ ଥାନା ଆଇଆଇସି ଶ୍ରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।