ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ଗାରାବନ୍ଧା ଥାନା ଅନ୍ତର୍ଗତ ଆର୍ସିଲିଂ ଘାଟିରେ ପୁଣି ଅଟୋ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗୋଷାଣି ବ୍ଲକ ଅନ୍ତର୍ଗତ ମାରିଙ୍ଗି ଗ୍ରାମର ୧୪ ଜଣ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ରାୟଗଡ ବ୍ଲକ କଇଁପୁର ନିକଟସ୍ଥ ଲୁମୁରାସିଂ ଗ୍ରାମକୁ ଯାଇ ଫେରୁଥିଲେ । ଫେରିବା ବାଟରେ ଆର୍ସିଲିଂ ଘାଟିରେ ଅଟୋଟିରେ ଅତ୍ୟାଧିକ ଯାତ୍ରୀ ରହିଥିବା ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ସମସ୍ତେ ଆହତ ହୋଇଥିଲେ । ଆହତ ମାନଙ୍କୁ ସ୍ଥାନୀୟ ଅଞ୍ଚଳବାସୀନ୍ଦା ଅନ୍ୟ ଏକ ଅଟୋ ଯୋଗେ ଚିକିତ୍ସା ନିମନ୍ତେ ଗାରାବନ୍ଧା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ସୁଜାତା ଶବର ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ଭାବେ ଆହତ ହୋଇଥିବା ଯୋଗୁଁ ସେମାନଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସମ୍ପର୍କରେ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ଖବର ପାଇ ସଦଳେବଳେ ପହଞ୍ଚି ତଦନ୍ତ କରୁଥିବା ବେଳେ ମୃତ ସୁଜାତାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛନ୍ତି । ଏନେଇ ଗାରାବନ୍ଧା ଥାନାରେ ୩୨/୨୫ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଥିବାର ଥାନା ଅଧିକାରୀ ଶ୍ରୀ ନିସିକା ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାର ମୁଖ୍ୟ କାରଣ ଅଟୋରେ ମାତ୍ରାଧିକ ଯାତ୍ରୀଙ୍କୁ ନେବା ଆଣିବା ବୋଲି ଆଲୋଚନା ହେଉଛି । ଏପରି କ୍ଷେତ୍ରରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ନୀରବ ଦ୍ରଷ୍ଟା ସାଜି ହେଲମେଟ୍, ସିଟ୍ ବେଲ୍ଟ ପରିଧାନ ଭଳି ଯାଞ୍ଚ କରି ଦାୟିତ୍ବ ସମ୍ପର୍ଣ୍ଣ କରୁଛି । କିନ୍ତୁ ଯାତ୍ରୀବାହୀ ଯାନବାହାନ ଗୁଡିକରେ ଅଧିକା ଯାତ୍ରୀଙ୍କୁ ନେବା ଆଣିବା ବା ଓଭରଲୋଡିଂ ଆଦିକୁ ନଜରଅନ୍ଦାଜ କରୁଥିବାରୁ ଏଭଳି ଦୁର୍ଘଟଣାମାନ ବୃଦ୍ଧି ପାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ଅନ୍ୟପକ୍ଷରେ ଏହି ଆର୍ସିଲିଂ ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ନଜିର ରହିଛି । କିଛି ମାସ ଅନ୍ତରାଳେ ଏପରି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପଶିଛି ।