ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଅନେକ ବାଦବିବାଦ ପରେ ଶେଷରେ ୧୦ ବର୍ଷର ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । ଛାଡପତ୍ର ପାଇଁ ଆଇନଗତ ଲଢେଇରେ ସାଂସଦ ଅନୁଭବ ମହାନ୍ତିଙ୍କର ବିଜୟ ହୋଇଥିବା ସୂଚନା ଦେଇଛନ୍ତି ଖୋଦ୍ ଅନୁଭବ । ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟଙ୍କ ମଂଜୁରୀ ମିଳିଛି ।ଏ ସମ୍ପର୍କରେ ନିଜେ ସାଂସଦ ଅନୁଭବ ମହାନ୍ତି ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଅନୁଭବ ଗତକାଲି ରାତିରେ ସୋସିଆଲ୍ ମିଡିଆ ସାଇଟ୍ ‘X’ ରେ ଖୋଦ୍ ଲେଖିଛନ୍ତି, ତାଙ୍କ ବିବାହର ଦଶ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କ ଛାଡ଼ପତ୍ର ହୋଇଛି। ଏନେଇ ଏକ କୋର୍ଟ ନିର୍ଦ୍ଦେଶର ଫଟୋ କପିକୁ ବି ସେ ଏଥିରେ ଆଟାଚ୍ କରିଛନ୍ତି।ଗତ ୧୦ ବର୍ଷ ଧରି ମିଛ ବିବାହ ବନ୍ଧନ, ହୃଦୟହୀନ ସମ୍ପର୍କ ଏବଂ କଷ୍ଟଦାୟକ ବର୍ଷ ଏସବୁ ଥିଲା। ଏବେ ଖୁସି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ସେ ଲେଖିଛନ୍ତି।
ଆଜି ଅର୍ଥାତ ୮ ଫେବ୍ରୁଆରୀରେ ଅନୁଭବ ଓ ବର୍ଷାଙ୍କ ବିବାହର ୧୦ ବର୍ଷ ପୂର୍ତ୍ତି ହେଉଥିଲା। କିନ୍ତୁ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ବିବାହ ବିଚ୍ଛେଦ ସମ୍ପର୍କରେ ସୂଚନା ଦେଇଛନ୍ତି ଅନୁଭବ। ତେବେ ଏହି ଘଟଣାରେ ବର୍ଷାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। ସୂଚନା ଅନୁସାରେ ଗତ କିଛି ବର୍ଷ ଧରି ଉଭୟଙ୍କ ବିବାହ ବିଚ୍ଛେଦ ମାମଲା ବେଶ୍ ଚର୍ଚ୍ଚାରେ ରହିଛି। କଟକ ପରିବାର କୋର୍ଟରୁ ମାମଲା ହାଇକୋର୍ଟ ଯାଏଁ ପହଞ୍ଚିଛି। ସୋସିଆଲ୍ ମିଡିଆରେ ଅନୁଭବ ଓ ବର୍ଷାଙ୍କ ଆକ୍ଷେପମୂଳକ ପୋଷ୍ଟ ବି ଅନେକ ସମୟରେ ଦେଖିବାକୁ ମିଳିଛି।