ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦକ୍ଷିଣ ଓଡ଼ିଶାବାସୀ ନିର୍ଭର କରୁଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ/ଚିକିତ୍ସାଳୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଆଣିବା ସହିତ ମେଡିକାଲର ଜରୁରୀକାଳୀନ ଚିକିତ୍ସାରେ ସୁଧାର ଆଣିବା ପାଇଁ ନିୟମିତ ଭାବରେ ବରିଷ୍ଠ ଚିକିତ୍ସକଙ୍କୁ ନିଯୁକ୍ତି ପ୍ରଦାନ କରିବା ଦାବୀରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରେସ କ୍ଲବ ବ୍ରହ୍ମପୁର ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଶନିବାର ପ୍ରେସ କ୍ଲବ ପକ୍ଷରୁ ସଭାପତି ଅଶୋକ କୁମାର ବ୍ରହ୍ମା ଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ଓ ପ୍ରେସ କ୍ଲବ ସଦସ୍ୟଙ୍କ ସହିତ ସହରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଅଧ୍ୟକ୍ଷା ପ୍ରଫେସର ଡାକ୍ତର ସୁଚିତ୍ରା ଦାଶଙ୍କ ଜରିଆରେ ଏହି ଦାବୀପତ୍ର ପ୍ରଦାନ କରାଯିବା ସହିତ କିପରି ରୋଗୀ ମାନେ ବିଭିନ୍ନ ସମୟରେ ଗୁରୁତ୍ତର ହୋଇ ଯେତେବେଳେ କାଜୁଆଲଟି ରେ ଭର୍ତ୍ତୀ ହୋଇଥାନ୍ତି ସେହି ସମୟରେ ନାନା ସମସ୍ୟାର ସମୁଖିନ ହେବାକୁ ପଡୁଛି ତାହାକୁ ଉପସ୍ଥାପନା କରିବା ସହିତ ଏହାର ସମାଧାନ କରିବା ସହିତ ତୁରନ୍ତ ଏ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା କରିଥିଲେ ।
ସେପଟେ ପ୍ରେସ କ୍ଲବ ର କର୍ମକର୍ତ୍ତା ଏବଂ ସଦସ୍ୟଙ୍କ ସହିତ ଆଲୋଚନା ପରେ ଅଧ୍ୟକ୍ଷା ପ୍ରଫେସର ଡାକ୍ତର ସୁଚିତ୍ରା ଦାଶ ଏ ନେଇ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହିତ ଆଲୋଚନା କରାଯାଇ କିପରି ଉପସ୍ଥାପନା କରାଯାଇଥିବା ସମସ୍ୟାର ସମାଧାନ ହୋଇପାରିବ ସେ ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ସୂଚନାନୁଯାୟୀ ଦକ୍ଷିଣ ଓଡ଼ିଶାବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ସରକାରଙ୍କ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ/ଚିକିତ୍ସାଳୟରେ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଅତ୍ୟନ୍ତ ଗୁରୁତ୍ତର ଭାବରେ ଦୃଷ୍ଟି ଦେବାକୁ ଅନେକ ବାର ଦାବୀ ହେଉଥିଲେ ମଧ୍ୟ ଗତକାଲି ବ୍ରହ୍ମପୁର ସହରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଏକମାତ୍ର କନ୍ୟା ୮ମ ଶ୍ରେଣୀର ଛାତ୍ରୀ କୈାଣସି କାର୍ଯ୍ୟରେ ଯାଉଥିବା ସମୟରେ ହଠାତ୍ ମୁଣ୍ଡ ବୁଲାଇ ରାସ୍ତା କଡ଼ରେ ଅଚେତ ହୋଇପଡିଥିବା ବେଳେ ସେ ଗ୍ରୀଷ୍ମ ପ୍ରବାହ କାରଣରୁ ଅଂଶୁଘାତରେ ଶିକାର ହୋଇଥିବା ଆଶଙ୍କା କରି ଯେତେବେଳେ ଏମ୍.କେ.ସି.ଜି ମେଡିକାଲର କାଜୁଆଲଟି ରେ ଭର୍ତ୍ତି କରାଇଥିଲେ ସେଠାରେ ଚିକିତ୍ସା ଦାୟିତ୍ବରେ ରହିଥିବା ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ ତୁରନ୍ତ ଶିଶୁ ରୋଗ ବିଭାଗକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ସେଠାରେ କେହି ଚିକିତ୍ସା କରାଇବା ଦୂରରେ ଥାଉ, ଶିଶୁ ରୋଗୀଙ୍କୁ ଷ୍ଟେଚର କିମ୍ବା ବେଟେରୀ ଗାଡ଼ିରେ ଯୋଗାଇ ଦିଆଯାଇନଥିବା ବେଳେ ପରିସ୍ଥିତି ରହି ନିଜେ ବାପା ଝିଅକୁ ଧରି ହୁଇଲ ଚେୟାରରେ ଶିଶୁ ରୋଗ ବିଭାଗକୁ ନେଇଥିଲେ। ହେଲେ ସେଠାକାର ପରିସ୍ଥିତି ଆହୁରି ଭୟାନକ ରହିଥିଲା । ଏଣୁ ସେ ତୁରନ୍ତ ସେଠାରୁ ବାହାରି ତୁରନ୍ତ ଘରୋଇ ମେଡିକାଲରେ ଭର୍ତ୍ତୀ କରାଇ ଚିକିତ୍ସା କରାଇଥିଲେ ଏବଂ ଘଟଣା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏଣୁ ଏଭଳି ଘଟଣା ବାରମ୍ୱାର ଘଟୁଥିବା ଯୋଗୁଁ ଏପରି ଘଟଣାରେ ଅନ୍ୟ କେହି ଯେପରି ସାଧାକଣ ବ୍ୟକ୍ତିବିଶେଷ କ୍ଷେତ୍ରରେ ନ ଘଟେ ସେଥିପାଇଁ ତୁରନ୍ତ ଦୃଷ୍ଟି ଦେବା ସହିତ ବ୍ୟବସ୍ଥାରେ ଯେପରି ସୁଧୁରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବୀ କରାଯାଇଛି । ଦକ୍ଷିଣ ଓଡ଼ିଶାବାସୀ ଆଶା ଓ ବିଶ୍ବାସ ସହ ଚିକିତ୍ସା ପାଇଁ ଏଠାକୁ ଆସୁଥିବା ବେଳେ ଅନେକ ସମୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ନିରାଶ ହେବାକୁ ପଡୁଛି।
ପୂର୍ବରୁ ବ୍ରହ୍ମପୁର ଏମ୍.କେ.ସି.ଜିର ସମସ୍ୟା ନେଇ ପ୍ରେସ କ୍ଳବ୍ ବ୍ରହ୍ମପୁର ପକ୍ଷରୁ ଅନେକ ବାର ମେଡିକାଲ କର୍ତ୍ତୃପକ୍ଷ ଏବଂ ପ୍ରଶାସନ କୁ ଅବଗତ କରାଯାଇଥିବା ବେଳେ ବ୍ରହ୍ମପୁର ସହରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପକ୍ଷରୁ ମଧ୍ୟ ପୂର୍ବ ସରକାରଙ୍କ ସମୟରେ ମେଡିକାଲ କଲେଜ ଓ ହସପିଟାଲର ମୁଖ୍ୟ ଫାଟକ ସମ୍ମୁଖରେ ଗଣଧାରଣାରେ ବସି ରହିଥିବାର ନଜର ରହିଛି । ଯାହାକି ସେହି ସମୟରେ ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ହସ୍ତକ୍ଷେପ ସହିତ ମେଡିକାଲ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଉଚ୍ଚସ୍ତରୀୟ ଆଲୋଚନା ନେଇ ସେହି ସମୟରେ ମିଳିଥିବା ପ୍ରତିଶ୍ରୁତି ପରେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ। ଏଣୁ ତୁରନ୍ତ ଏଥିପ୍ରତି ସରକାର ଦୃଷ୍ଟି ନଦେଲେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଭାବରେ ଗଣମାଧ୍ୟମ ସହରର ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କୁ ସାମିଲ କରାଇ ପୁଣି ଥରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।
ଏହି ଦାବୀପତ୍ର ପ୍ରଦାନ ସମୟରେ ପ୍ରେସ କ୍ଲବର ସମ୍ପାଦକ ପ୍ରହଲ୍ଲାଦ ସାହୁ , ଉପସଭାପତି ଅଭୟ କୁମାର ପାଢୀ , କୋଷାଧ୍ୟକ୍ଷ ଶିବନାରାୟଣ ପଣ୍ଡା , ବରିଷ୍ଠ ସାମ୍ୱାଦିକ ଶକ୍ତିଧର ରାଜଗୁରୁ , ସମୀର କୁମାର ଆଚାର୍ଯ୍ୟ , ଆଲୋକ କୁମାର ସାହୁ , ଶିବରାମ ଚୌଧୁରୀ , ସୁଦିପ୍ତ ଷଡଙ୍ଗୀ , ସୀମାଞ୍ଚଳ ସାହୁ , ଲକ୍ଷ୍ମୀ ବେଜ , ଆଶ୍ରୀବାଦ ରାଉତ , ମାନସ ବିଷୋୟୀ ,ନାରାୟଣ ମହାଙ୍କୁଡ , ଅମର କୁମାର ଦାଶ , କୈଳାସ ବେହେରା , କିରଣ କୁମାର ମିଶ୍ର , ମନୋଜ କୁମାର ପଣ୍ଡା , ପ୍ରଭଞ୍ଜନ ମିଶ୍ର, ପିଣ୍ଟୁ ବେହେରା , ଅମିତ କୁମାର ସାହୁ ,ସୁଶାନ୍ତ କୁମାର ପଣ୍ଡା , ସ୍ୱାଧିନ କୁମାର ପାତ୍ର ,ଗୌରୀ ଶଙ୍କର ମିଶ୍ର , ବିକ୍ରମ କୁମାର ସାହୁ , ସତ୍ୟଚେତନ ପରିଡ଼ା, ସୁନିର୍ କୁମାର ବିଶ୍ୱାସରାୟ ଙ୍କ ସମେତ ସହରର ବହୁ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।