ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବଦଳିଲା ଏନସିପି ରାଜନୈତିକ ସମୀକରଣ । ଶରଦ ପାୱାରଙ୍କୁ ବଡ଼ ଝଟକା ଦେଇଛନ୍ତି ନିର୍ବାଚନ କମିଶନ । ବିଗତ କେତେ ଦିନ ଧରି ଅଜିତ ପାୱାର ଓ ଶରଦ ପାୱାରଙ୍କ ମଧ୍ୟରେ ଏନସିପି ଓ ଏହାର ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ଏହି ବିବାଦ ମଧ୍ୟରେ ହିଁ ନିର୍ବାଚନ ଆୟୋଗ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ।ଦଳର ସମ୍ବିଧାନରେ ବର୍ଣ୍ଣିତ ଲକ୍ଷ୍ୟ ସହ ଉଦ୍ଦେଶ୍ୟ ଏବଂ ଉଭୟ ସାଙ୍ଗଠନିକ ତଥା ବିଧାନସଭାର ସଂଖ୍ୟା ଗରିଷ୍ଠତାର ମୂଲ୍ୟାଙ୍କନ ପରେ ହିଁ ଏପରି ନିଷ୍ପତ୍ତି ନିଆଯାଇଥିଲା କହିଛନ୍ତି ନିର୍ବାଚନ କମିଶନ । ଅଜିତଙ୍କ ଗୋଷ୍ଠୀ ହିଁ ଅସଲି ଏନସିପି ବୋଲି କହିଛନ୍ତି ନିର୍ବାଚନ ଆୟୋଗ । ସବୁ ପ୍ରମାଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ନିଜ ବିବୃତ୍ତିରେ କହିଛନ୍ତି ନିର୍ବାଚନ ଆୟୋଗ ।
ଶରଦ ପାୱାର ଦଳକୁ ଏକ ବଡ ଝଟକା ଦେଇ ଇସି କହିଛନ୍ତି, ଅଜିତ ପାୱାରଙ୍କ ଗୋଷ୍ଠୀକୁ ହିଁ ଏନସିପିର “ଘଣ୍ଟା” ଚିହ୍ନ ପ୍ରଦାନ କରାଯାଉଛି ।ଅଜିତ ପାୱାରଙ୍କ ଗୋଷ୍ଠୀ ଏନସିପିର ନାମ ଓ ନିର୍ବାଚନୀ ଚିହ୍ନ ବ୍ୟବହାର କରିପାରିବେ । ଅନ୍ୟପଟେ ନୂଆ ଦଳ ଗଠନ କରିବାକୁ ଶରଦ ପାୱାରଙ୍କ ଗୋଷ୍ଠୀକୁ ୩ଟି ନାମ ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ବୁଧବାର ସୁଦ୍ଧା ଏହି ନାମ ଦେବାକୁ ନିର୍ଦ୍ଦେଶ ରହିଛି ।ଏପଟେ ନୂଆ ଦଳ ଗଠନ ଲାଗି ଆସନ୍ତାକାଲି ଅପରାହ୍ଣ ୩ଟା ସୁଦ୍ଧା ତିନିଟି ନାଁ ଦେବାକୁ ଶରଦଙ୍କୁ କହିଛନ୍ତି ନିର୍ବାଚନ ଆୟୋଗ । ଏନସିପି ର ୫୩ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ଶରଦ ପାୱାରଙ୍କୁ ସମର୍ଥନ କରୁଛନ୍ତି । ୪୦ ଜଣ ଅଜିତ ପାୱାରଙ୍କ ସପକ୍ଷରେ ଅଛନ୍ତି । ୬ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ମାମଲା ଉପରେ ୧୦ ରୁ ଅଧିକ ଥର ଶୁଣାଣି ହୋଇଛି । ଏହାପରେ ଆଜି ଶେଷ ନିଷ୍ପତ୍ତି ଶୁଣାଇଛନ୍ତି ନିର୍ବାଚନ ଆୟୋଗ ।