ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ୯ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୯ ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଯୋଜନା ଏବଂ ସଂଯୋଜନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, କୃଷି ଓ କୃଷକ ସଶକ୍ତିକରଣ, ମହିଳା ଏବଂ ଶିଶୁ ବିକାଶ, ଶକ୍ତି ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।
ଗତବର୍ଷ ୨୨ ଅଗଷ୍ଟରେ ରାଜ୍ୟ କ୍ୟାବିନେଟ ସୁଭଦ୍ରା ଯୋଜନାକୁ ଅନୁମୋଦନ କରିଥିଲେ । ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ ଓ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଯୋଜନାରେ ୫ ବର୍ଷ ପାଇଁ ବଜେଟରେ ୫୫ ହଜାର ୮୨୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ବର୍ତ୍ତମାନ ସୁଦ୍ଧା ସୁଭଦ୍ରାରେ ୧ କୋଟି ୬ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇଛି । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ୮୦,୨୯,୭୪୧ ଜଣଙ୍କୁ ପ୍ରଥମ କିସ୍ତିର ୫୦୦୦ ଟଙ୍କା ବିତରଣ କରାଯାଇଛି । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ନଥିବା ଅବଶିଷ୍ଟ ଆବେଦନଗୁଡ଼ିକ ବିଚାରାଧୀନ ରହିଛି । ସହାୟତା ବିତରଣ ନିମିତ କ୍ଷେତ୍ରୀୟ ସ୍ତରରେ କ୍ଷେତ୍ର ଅନୁସନ୍ଧାନ ଟିମ୍ ଦ୍ବାରା ଗାଇଡଲାଇନ୍ ଅନୁଯାୟୀ ସେମାନଙ୍କର ଯୋଗ୍ୟତା ନିର୍ଦ୍ଧାରଣ କରିବା ପାଇଁ ଯାଞ୍ଚ କରାଯାଉଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିନା କୌଣସି ଶେଷ ତାରିଖ ଥାଇ ସୁଭଦ୍ରା ଅଧୀନରେ ଆବେଦନ ଗ୍ରହଣ କରାଯାଉଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସୁଭଦ୍ରାରେ ପଞ୍ଜୀକରଣର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଧାର୍ଯ୍ୟ ହୋଇଛି । ମାର୍ଚ୍ଚ ୩୧ ଭିତରେ ଆବେଦନ କଲେ ହିତାଧିକାରୀଙ୍କୁ ଚଳିତ ଆର୍ଥିକ ବର୍ଷରେ ୨ କିସ୍ତି ଟଙ୍କା ଅର୍ଥାତ୍ ୧୦ ହଜାର ଟଙ୍କା ମିଳିବ ।