ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଦେଶରେ ୪ଶହ ପାର ପ୍ରଚଣ୍ଡ ବହୁମତ ସହ ଓଡିଶାରେ ମଧ୍ୟ ସରକାର ଗଠନ କରିବାକୁ ଯାଉଛି ‘ଭାରତୀୟ ଜନତା ପାର୍ଟି’ । ଓଡିଶାର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ୧୦ ତାରିଖରେ ଓଡିଶାରେ ବିଜେପି ସରକାର ଶପଥ ଗ୍ରହଣ କରିବାକୁ ଯାଉଛି । ଆଜି ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ସାକ୍ଷାତକାର ଦେଇ ବିଜେପିର ଶୀର୍ଷ ଚେହେରା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିଜ ପୂର୍ବ ଦୃଢୋକ୍ତିକୁ ଦୋହରାଇବା ସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ।ଦେଶରେ ୬ଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଥିବା ବେଳେ ଜୁନ ପହିଲାରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି । ଏହି ସମୟରେ ଗଣମାଧ୍ୟମ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡିଶାର ଭାଗ୍ୟ ବଦଳିବାକୁ ଯାଉଛି, ଏଥର ନିଶ୍ଚିତ ସରକାର ବଦଳୁଛି ।
ବର୍ତ୍ତମାନର ଓଡିଶା ସରକାରଙ୍କ କାର୍ଯ୍ୟକାଳ ଜୁନ ୪ ତାରିଖରେ ଏକ୍ସପାଏରୀ ହେବାକୁ ଯାଉଛି । ଜୁନ୍ ୧୦ ତାରିଖରେ ଓଡିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ସେହିପରି ସେ ସାମ୍ପ୍ରଦାୟିକ ଆରକ୍ଷଣ ମାମଲାରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସାମ୍ପ୍ରଦାୟିକ ତୁଷ୍ଟୀକରଣ ଦେଶକୁ ବରବାଦ କରିଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଚଳିତ ନିର୍ବାଚନରେ ବ୍ୟକ୍ତିଗତ ଟିପ୍ପଣୀ ଓ କଟାକ୍ଷପୂର୍ଣ୍ଣ ସମାଲୋଚନା ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ମତ ରଖି, ସେ ସର୍ବାଧିକ ସମାଲୋଚନାର ଶିକାର ହୋଇଥିବା କହିଛନ୍ତି । ଏହା ବିରୋଧୀଙ୍କ ନିରାଶାର ଭାବନା ବୋଲି କହିଛନ୍ତି ମୋଦି ।